Latest Odisha News

ଅଥ ଅଥର୍ବ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଏ ନିବନ୍ଧ ଲେଖିବା ପୂର୍ବରୁ ପଣ୍ଡିତ ବିଷ୍ଣୁ ଶର୍ମା ସଂସ୍କୃତରେ ଲେଖିଥିବା ଅଥ କୃଷ୍ଣସର୍ପ କଥା ମନେ ପକାଇଦେଉଛି । ଥରେ ଗୋଟିଏ ବେଙ୍ଗ ତା’ର ପରିବାର ଓ ସାଙ୍ଗ ସାଥୀ ମାନଙ୍କ ସହିତ କୂଅରେ ବାସ କରୁଥିଲା । ତା’ ପାଖ ସଂପର୍କୀୟମାନେ ତାକୁ ବହୁତ କଟୁବାକ୍ୟ ପ୍ରୟୋଗ କରୁଥିଲେ । ବେଙ୍ଗଟି ହତାଶ ମଧ୍ୟ ଦେଇ ଗତି କରୁଥିଲା । ଦିନେ ଚିନ୍ତାକଲା ଏମାନଙ୍କୁ ବୁଦ୍ଧି ଶିଖାଇବାକୁ ହେବ । କୂଅ ବାହାରକୁ ଆସି ଦେଖିଲା ଏକ କଳାସାପ ଗାତ ଭିତରକୁ ଯାଉଛି । ସାପ ସହିତ ବନ୍ଧୁତା କରି ତା’ ସଂପର୍କୀୟମାନଙ୍କୁ ଦମନ କରିବା ପାଇଁ ଚିନ୍ତାକରି ସାପକୁ କହିଲା- ତୁମେ ମୋର ସାଥୀ ହେବ? ସାପ ଏହାଶୁଣି ଆଶ୍ଚର୍ଯ୍ୟ ହେଲା । ଏ ବେଙ୍ଗ କ’ଣ ଜାଣିନାହିଁ ମୁଁ ସେମାନଙ୍କୁ ଖାଇବାକୁ ଭଲପାଏ! ଏ କଥା ବେଙ୍ଗକୁ କହିଲାରୁ ବେଙ୍ଗକହିଲା- ହଁ ମୁଁ ଜାଣେ । ମୋ ସଂପର୍କୀୟ ମାନଙ୍କୁ ଖାଇଦିଅ ।

ବେଙ୍ଗ କଥା ଶୁଣିସାପ ଖୁସି ହେଲା । କହିଲା- ମୁଁ କୂଅ ଭିତରକୁ କେମିତି ଯିବି? ପହଁରା ଜାଣିନାହିଁ । ବେଙ୍ଗ ତାକୁ ସାଙ୍ଗରେ ନେଇ କୂଅ ଭିତରକୁ ଥିବା ଗାତଟି ଦେଖାଇଲା । କହିଲା ମୋ ପରିବାର ଓ ସଂପର୍କୀୟଙ୍କୁ ସବୁ ଖାଇବ, କିନ୍ତୁ ମୋ ସାଙ୍ଗ ଓ ଶୁଭେଚ୍ଛୁ ମାନଙ୍କୁ ଖାଇବ ନାହିଁ । ମୁଁ ସେମାନଙ୍କୁ ଚିହ୍ନେଇ ଦେବି । ସାପ ଖୁସି ହେଇ ବେଙ୍ଗ ସାଙ୍ଗରେ ଗାତ ଦେଇ କୂଅ ଭିତରକୁ ଗଲା । କିଛିଦିନ ଭିତରେ ସାପ ବେଙ୍ଗ ପରିବାର ଓ ସଂପର୍କୀୟଙ୍କୁ ଖାଇବାରେ ଲାଗିଲା । ସାପଟି ବେଙ୍ଗ ଖାଇବାର ମଜ୍ଜାକୁ ଛାଡିପାରିଲା ନାହିଁ । ବେଙ୍ଗର ପରିବାର ଓ ସଂପର୍କୀୟଙ୍କୁ ଖାଇ ସାରିଲା ପରେ ସାଙ୍ଗସାଥୀ ଓ ଶୁଭେଚ୍ଛୁ ମାନଙ୍କୁ ମଧ୍ୟ ଖାଇବାରେ ଲାଗିଲା । ବେଙ୍ଗକୁ ଡାକି କହିଲା- ବନ୍ଧୁ ସମସ୍ତ ବେଙ୍ଗଙ୍କୁ ଖାଇଲି । ବର୍ତମାନ ଆଉ ବେଙ୍ଗ ଖାଇବି । ବେଙ୍ଗ କହିଲା- ସମସ୍ତ ବେଙ୍ଗଙ୍କୁ ତ ଖାଇଦେଲ, ଆଉ କେଉଁଠୁ ବେଙ୍ଗ ଆଣିବି? ସାପ କହିଲା- ମୁଁ ତୁମ କୂଅରେ ବାସ କରୁଛି । ମୋ ପାଇଁ ଆଉ ବେଙ୍ଗ ଆଣି ଦିଅ ।

ବେଙ୍ଗ ଏ କଥା ଶୁଣି ତା’ ଜୀବନ ପ୍ରତି ବିପଦ ଆଶଙ୍କା କଲା । ସେ ତତ୍‌କ୍ଷାଣତ୍ ବୁଦ୍ଧି ପାଂଚି କହିଲା- ଠିକ୍ ଅଛି, ମୁଁ ଆଉ ବେଙ୍ଗ ଆଣି ଦେବି, କିନ୍ତୁ ଏଇ କୂଅରେ ଆଉ ତ ବେଙ୍ଗ ନାହିଁ, ମୁଁ ଅନ୍ୟ ଏକ କୂଅକୁ ଯାଇ ତୁମକୁ ଖବର ଦେବି, ତୁମେ ସେଠି ସବୁ ବେଙ୍ଗଙ୍କୁ ଖାଇବ । ଠିକ୍ ଅଛି- ତୁମେ ବର୍ତମାନ ଆରାମରେ ରୁହ । ସାପ ରାଜିହେଲା । ବେଙ୍ଗ କୂଅ ବାହାରକୁ ଆସି ଭାବିଲା, ସାପକୁ ବିଶ୍ୱାସ କରିବା ବୋକାମି ଥିଲା । ମୁଁ ଜାଣେ ମତେ ମଧ୍ୟ ସେ ଖାଇ ଦେଇଥାନ୍ତା । ଆହାଃ, ମୁଁ କ’ଣ କଲି! ୍ଣମାର ସମସ୍ତ ସାଙ୍ଗସାଥୀ, ପରିବାର, ସଂପର୍କୀୟଙ୍କୁ ହରେଇଲି । ଏହି ଗଳ୍ପଟିର ସାରକଥା ହେଲା- “ଦୁର୍ଜନ ସଂଗେ କଲେ ବାସ, ନିଶ୍ଚେ ହୋଇବ ସର୍ବନାଶ”ା ଏ ଗଳ୍ପଟିସବୁ ଦେଶ ପାଇଁ ପ୍ରଜୁର୍ଯ୍ୟ ।

ଏବେମୂଳ କଥାକୁ ଆସିବା । ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥାର ଭୟାବହତା ଭୀଷଣଭାବେ ଦେଖାଦେଲାଣି । ମାନ୍ଦାବସ୍ଥାରୁ ଉତ୍ପାଦନ କମିଯାଏ । ଲୋକଙ୍କ କ୍ରୟ କ୍ଷମତା କମିବା ସଂଗେସଂଗେ ଚାହିଦା ମଧ୍ୟ କମିଯାଏ । କଳ କାରଖାନା ବନ୍ଦ ହୋଇଯାଏ, ଶ୍ରମ ଜୀବିମାନେ ଜୀବିକା ହରାନ୍ତି, ଲୋକେ ଭୋକରେ ଆଉଟୁ ପାଉଟୁ ହୁଅନ୍ତି । ୧୯୨୯, ୨୦୦୮ ମାନ୍ଦାବସ୍ଥାରେ ସମଗ୍ର ବିଶ୍ୱରେ ଅର୍ଥନୈତିକ ସଂକଟ ଦେଖା ଦେଇଥିଲା । ଏବେ ୨୦୨୦ ମାନ୍ଦାବସ୍ଥାର ଫଳାଫଳ କ’ଣ ହେବ ତାହା ଏବେଠୁ ଆକଳନ କରିବା ସମ୍ଭବ ନୁହେଁ ।

ଅଦୃଶ୍ୟ କରୋନା ଭୂତାଣୁ ଆକ୍ରମଣ ଯୋଗୁଁ ସାରା ବିଶ୍ୱବାସୀ ଗୃହବନ୍ଦୀ ଥିଲା ବେଳେ ସଂଚିତ ଧନ ସମ୍ପତି ସରିସରି ଆସୁଛି । “ବସି ଖାଇଲେ ନଈ ବାଲି ସରେ” ଭଳି ସରକାର ଓ ଆମ ପାଖରେ ଯାହା କିଛି ଖାଦ୍ୟ, ଅର୍ଥ ଥିଲା ଦିନକୁ ଦିନ ଖାଲି ହେବାରେ ଲାଗିଛି । ଏବେ ବି ଶ୍ରମ ଜୀବି ଶ୍ରେଣୀ ଯିଏ ଯେଉଁଠି ଅଟକି ରହିଛନ୍ତି, ସେମାନଙ୍କ ଦୂରାବସ୍ଥା ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଏଣେ ରୋଜଗାର ନାହିଁ, ପୁଣି ରୋଗ ଭୋକରେ ମଣିଷ, ପଶୁ ପକ୍ଷୀ ଛଟପଟ ।

ବର୍ତମାନ ସମୟରେ ଆମ ପାଖରେ ଯାହାକିଛି ଅଛି ଅଳ୍ପ ଅଳ୍ପ ଖର୍ଚ୍ଚ କରିବା ବୁଦ୍ଧିମାନର କାମ । ନ ହେଲେ ଭୋକରେ ଛଟପଟ ହୋଇ ଶୀଘ୍ର ଜୀବନ ଚାଲିଯିବ । ଏ ଦୁନିଆରେ କେହି କେବେ ମରିବାକୁ ଚାହେଁନା । ବଂଚିବା ପାଇଁ ଆମେ ସମସ୍ତେ ମିଳିମିଶି ଭୟଙ୍କର ଅଦୃଶ୍ୟ କରୋନା ବିରୁଦ୍ଧରେ ଲଢିଯିବା । ଲଢି ଲଢି ମରିଯିବା ହିଁ ମଣିଷ ପଣିଆ ।

ସମୟ ଆସୁଛି- କରୋନା ବିରୁଦ୍ଧରେ ଲଢୁଲଢୁ ଭୋକ ପାଇଁ ତୁମୁଳ ଲଢେଇ ଲାଗିଯିବ । ଯେଉଁ ଶ୍ରମଜୀବିମାନେ କୌଳିକ ବୃତି ହେଉ କିମ୍ବା ନିଜର ରୁଚି ଅନୁସାରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିଲେ- ଲକ୍‌ଡାଉନ୍ ସମୟରେ କାମ ବନ୍ଦ ହୋଇଯିବାରୁ ଜୀବନ ଜୀବିକା ଉଛନ୍ନ ହୋଇପଡିଛି । ଅଦୃଶ୍ୟ ଶତ୍ରୁ କରୋନା ବିରୁଦ୍ଧରେ ବିଶ୍ୱବାସୀ ସମସ୍ତେ ଲଢୁଛନ୍ତି । ଏ ଲଢେଇରେ ଶୂନ୍ୟରେ ଖଣ୍ଡା ବୁଲେଇ ବୁଲେଇ ହାଲିଆ ହୋଇଗଲେଣି । କେବଳ ନିଜର ସୁରକ୍ଷା ପାଇଁ ଯାହାକିଛି ପଦକ୍ଷେପ ନେଉଛେ । ଭୋକ ପାଇଁ ଖାଦ୍ୟ ବହୁ ସ୍ଥାନରେ ଦୃଶ୍ୟମାନ । ଭୋକିଲା ଲୋକ ମରିବା ପୂର୍ବରୁ ଖାଦ୍ୟ ପାଇଁ ଛଡାମଡା ହେବେ । ଏଥିପାଇଁ ହଣାକଟା ଲାଗିଯାଇ ପରେ । ପୂର୍ବରୁ ୧୯୮୯ ଫ୍ରାନ୍ସ୍ ବିପ୍ଳବ ପୂର୍ବରୁ, ୧୯୧୭ ରୁଷ୍ ବିପ୍ଳବ ଓ ୧୯୪୩ ବେଙ୍ଗଲ ଦୁର୍ଭିକ୍ଷ ବେଳେ ଅସମ୍ଭାଳ ଭୋକ ପାଇଁ ଦଙ୍ଗା ଲାଗିଯାଇଥିଲା । ଯାହା ଏବେ ଆଫ୍ରିକୀୟ ଦେଶ ମାନଙ୍କରେ ଘଟୁଛି । ଏ ଘଟଣା ସମଗ୍ର ବିଶ୍ୱରେ ମଧ୍ୟ ଦେଖା ଦେଇପାରେ !

ଭବିଷ୍ୟତର ପୃଥିବୀ ଆମର କରୋନା ର କାରାଗାରରେ ଅସହାୟ । ଏ ଅତିଷ୍ଠ ଅର୍ଥନୀତିକୁ ଆସନ୍ତାକାଲି ଅଚିରେ ପ୍ରତ୍ୟାଖାନ କରିବ ।

ଅଧିକ ପଢନ୍ତୁ – ମଇ ଦିବସ: ସେଦିନ-ଆଜି-କେତେ ତଫାତ୍‌

କାଲି ସକାଳେ ଯେତେବେଳେ ଭୂତାଣୁ ବିଭୀଷିକା ସୃଷ୍ଟିକାରୀ କରାଳ କରୋନା ଏ ଦୁନିଆରୁ ବିଦାୟ ନେବାକୁ ବସିଥିବ- ସେତେବେଳେ ଏ ସମାଜ ପାଇଁ ସୃଷ୍ଟିହେବ- ଏକ ସଂଶୟମୁକ୍ତ ନୂତନ ଭୂମିକା । ଜୀବନଶୈଳୀ ବଦଳିବାର ଓ ବଦଳାଇବାର ବୀଜମନ୍ତ୍ର ପାଠ ପାଇଁ ପୁଣି ଆରମ୍ଭ ହେବ ପ୍ରସ୍ତୁତି ପର୍ବ ।

ଟ୍ରମ୍ପ୍ ଜରିଆରେ ଆମେରିକା ଆଜି ଔଷଧ ବିକଳରେ ତାଟିଆ କାମୁଡି ଚୀନ୍‌କୁ ଅଭିଶାପ ବାଣୀ ଶୁଣାଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଧମକ ଦେଇସାରିଛି । ଏଠି ମଧ୍ୟ କତିପୟ ରାଜନୈତିକ ଯୋଦ୍ଧାଧାରୀ ଏକ ନିର୍ଦ୍ଧିଷ୍ଟ ଧର୍ମୀୟ ସଂପ୍ରଦାୟକୁ ଆଙ୍ଗୁଠି ଦେଖାଇବାରେ ଲାଗିପଡିଛନ୍ତି । କିନ୍ତୁ ମଣିଷ ଯେ ମୂଖ୍ୟ, ଏ ମହାତତ୍ୱର ତାତ୍ପର୍ଯ୍ୟ ଏବେ ଆଉ ଅଜଣା ଅଶୁଣା ହୋଇ ରହିନାହିଁ । ବନ୍ଧୁଗଣ! କେତେକ ବୁଦ୍ଧିଜୀବି ସେମାନେ କେବଳ ଶଦ୍ଦକୁ ଏପଟ ସେପଟ କରି ମହା ମିଥ୍ୟାକୁ ମହାସତ୍ୟ ବୋଲି ବୋଲାଇବାକୁ ଝାଳ ବୁହାଉଛନ୍ତି । ମାତ୍ର ଆମର ସଜାଗ ସଚେତନ ଜନଗଣ ଜାଣନ୍ତି ଯେ, ଆମର ପ୍ରଥମ ସାଲ୍ୟୁଟ୍‌ର ହକ୍‌ଦାର ହେଉଛନ୍ତି- ଏବେ ଦିନରାତିକୁ ଏକ୍ କରିଦେଇ ମଣିଷମାନଙ୍କୁ ବଂଚେଇବାର ଲଢେଇକୁ ବଳବତର କରାଇ ରଖିବା ଦିଗରେ ଆପ୍ରାଣେ ଉଦ୍ୟମରତ ବୈଜ୍ଞାନିକ, ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମଚାରୀ, କୃଷକ, ଶ୍ରମିକ, ସୈନିକ, ସିପାହୀ ଓ ସାଧାରଣ ମଣିଷ ।

ସାରା ପୃଥିବୀରେ ଶୋଷଣ ଜାଲ ବିଛାଇଥିବା ଆମେରିକା କିନ୍ତୁ ନିଜ ମାୟା ଜାଲରେ ନିଜେ ଛନ୍ଦି ହୋଇଯାଇଛି । ଆଜିର ଏ ପରିସ୍ଥିତି ପଛରେ ଆମେରିକାର କି ପ୍ରକାର କୂଟ କୌଶଳ ଛପିରହିଛି – ଏ କଥା ସବୁ ଦେଶ କହିପାରୁ ନାହାଁନ୍ତି । ସେମାନଙ୍କ ଜିଭ କଟିଯିବା ଭୟରେ ବହୁସଂଖ୍ୟକ ଦେଶ ମୁହଁରେ ତୁଣ୍ଡିଲଗାଇ ଦେଇଛନ୍ତି । ଆମେରିକାର ଶତ ପ୍ରଚାରିତ ସମୃଦ୍ଧି, ପ୍ରାଚୁର୍ଯ୍ୟ ତଥା ଶିଖର ଆରୋହଣର ଉଚ୍ଚାରଣ ଏବେ କିନ୍ତୁ ଗୋଟାଏ ପ୍ରକାଣ୍ଡ ପୋଲା ବାଉଁଶର ଅନ୍ତଃସାର ଶୂନ୍ୟତାକୁ ହିଁ ସାବ୍ୟସ୍ତ କରିବାକୁ ଯାଉଛି । କାଲି ଯେତେବେଳେ କରୋନାମୁକ୍ତ ମଣିଷତା’ର ପ୍ରଳୟପରର ସର୍ଜନା ସକାଶେ ନୂଆ ଖସଡା ତିଆରି କରିବ- ସେତେବେଳେ ଏ ଡିଣ୍ଡିମପିଟା ଅର୍ଥନୀତି ଆଗରେ ଆଠେଁଇ ପଡି ତାଲିମ୍ ନେବାର ବଦଭ୍ୟାସ ଛାଡିବାକୁ ହେବ । ନୂଆ ଜୀବନ ଶୈଳୀ ଆମ ସମସ୍ତଙ୍କୁ ବଂଚିବାର ଅର୍ଥନୀତି ଆଡେ ଉନ୍ମୁଖ ହେବାକୁ ବାଧ୍ୟ କରିବ ହିଁ କରିବ ।

ଯାଜପୁରରୋଡ, ଯାଜପୁର – ମୋ: ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.