Latest Odisha News

BREAKING NEWS

ମଇ ଦିବସ: ସେଦିନ-ଆଜି-କେତେ ତଫାତ୍‌

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

୧୯୮୬ ମସିହା ମଇ ପହିଲା ପୂର୍ବବର୍ତୀ ଦିବସ ଗୁଡିକ ଥିଲା – ଅନ୍ଧକାରର ଯୁଗ । ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ, ସାମନ୍ତବାଦୀ, ଦାସ ମାଲିକମାନଙ୍କର ଚରାଭୂଇଁ ଥିଲା ସମଗ୍ର ବିଶ୍ୱ । ଶ୍ରମଜୀବି ଶ୍ରେଣୀ ଥିଲା – କ୍ରୀତଦାସ । ପଶୁଠାରୁ ଆହୁରି ହୀନ ଜୀବନ ଯାପନ କରୁଥିଲେ ଶ୍ରମିକମାନେ । ଜଣେ ଜଣେ ମାଲିକ ହଜାର ହଜାର ଶ୍ରମିକଙ୍କୁ ରାତିଦିନ ପଶୁଭଳି ଖଟାଉଥିଲେ । ପ୍ରତିରୋଧ ଦୂରେ ଥାଉ, ପ୍ରତିବାଦର କ୍ଷୀଣ ଶଦ୍ଦଟାଏ ମଧ୍ୟ ଶ୍ରମିକ କଣ୍ଠରୁ ଶୁଭୁନଥିଲା । ଶ୍ରମିକ ମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣ, ବ୍ୟଭିଚାର ଚରମ ସୀମାଲଘଂନ କରି ସାରିଥିଲା । ମୁଖମଣ୍ଡଳରେ ସାମାନ୍ୟ ଅସନ୍ତୋଷର ପୁରସ୍କାର ଥିଲା – ଜଘନ୍ୟ ମୃତ୍ୟୁ । ଶ୍ରମିକମାନଙ୍କ ମଧ୍ୟରେ ଅଶାନ୍ତି ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହେଉଥାଏ, କିନ୍ତୁ ବିଷ୍ଫୋରଣ ହେବାକୁ ଅହରହ ରାସ୍ତା ଖୋଜୁଥାଏ । ସଚେତନ ସଂଗଠିତ ଶକ୍ତି – ଗୋଷ୍ଠୀ – ଦଳ ଅଭାବରୁ ସବୁ ଫସର ଫାଟିଯାଉଥିଲା ।

ଇଂଲଣ୍ଡର ଶ୍ରମିକ ଆନ୍ଦୋଳନ ପରେ ପରେ ଆମେରିକାର ଶ୍ରମିକ ଶ୍ରେଣୀ ଅତ୍ୟନ୍ତ ମାନବିକ, ଗଣତାନ୍ତ୍ରିକ ଓ ନିମ୍ନତମ ଦାବୀ ଦିନକୁ ଆଠ ଘଂଟା ଶ୍ରମ ଦାବୀରେ ମାଲିକ ଶ୍ରେଣୀ ବିରୁଦ୍ଧରେ ଏକ ଅଦ୍ଭୁତପୂର୍ବ ଧର୍ମଘଟ କରିଥିଲେ । ଶ୍ରମିକମାନଙ୍କ ବିକ୍ଷୋଭ ଶୋଭାଯାତ୍ରା ଉପରେ ମାଲିକ ଓ ପୋଲିସ୍ ବାହିନୀର ବର୍ବର ଓ ଅମାନୁଷିକ ଆକ୍ରମଣ ଫଳରେ ବହୁ ଶ୍ରମିକ ମୃତ୍ୟୁବରଣ କଲେ । ଧର୍ମଘଟକାରୀ ଶ୍ରମିକମାନଙ୍କ ମୃତ୍ୟୁରେ ଚିକାଗୋ ସହର ରକ୍ତ ରଞ୍ଜିତ ହୋଇଗଲା । ଶ୍ରମିକ ମାନଙ୍କର ରକ୍ତକ୍ଷୟୀ ସଂଗ୍ରାମ ଓ ପରିଶେଷରେ ବିଜୟ ଏବଂ ଆଠଘଂଟିଆ ଶ୍ରମ ଦିବସ ଘୋଷଣା ସାରା ବିଶ୍ୱର ଶ୍ରମିକ ଶ୍ରେଣୀ ନିକଟରେ ଏକ ମହତ୍ୱପୂର୍ଣ୍ଣ ଘଟଣା ।

ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୨୪ ବର୍ଷ ମଧ୍ୟରେ ପୃଥିବୀର କେତେ ନଦୀରେ କେତେ ଜଳ ବହିଗଲାଣି, ଦେଶେ ଦେଶେ କେତେ ଯେ ମୌସୁମୀ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗ କୃତ ଲଢେଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି ତାହାର ପଟ୍ଟାନ୍ତର ନାହିଁ । ଆଜି ମଧ୍ୟ ପୁଞ୍ଜିପତି ଶ୍ରେଣୀ ଓ ଶାସନର ଜଜ୍ଞବେଦୀରେ ଲକ୍ଷ ଲକ୍ଷ ଶ୍ରମିକ, କୃଷକ, ଖଟିଖିଆ ମଣିଷ ବଳି ପଡୁଛନ୍ତି । ସାରା ବିଶ୍ୱରେ ରକ୍ତରଞ୍ଜିତ ‘ମଇ ପହିଲା’ କୋଟିକୋଟି ନିପିଡିତ ନିଷ୍ପେସିତ ଜନଗଣଙ୍କୁ ଆଲୋକର ସନ୍ଧାନ ଦେଇଆସିଛି ।

ସେଦିନ ଓ ଆଜିମଧ୍ୟରେ ଅନେକ ତଫାତ୍ । ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱର ପରିସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତିକରୁଛି । ପ୍ରତି ନିୟତ ପରିବର୍ତନଧାରା ପ୍ରବାହିତ ହେବାରେ ଲାଗିଛି । କାଲି ଯାହା ସତ୍ୟ, ପ୍ରଗତିଶୀଳ ଏବଂ ସର୍ବାଧୁନିକ ଥିଲା – ଆଜିତାହା ପୁରୁଣା ହୋଇଯାଉଛି । ନୂଆ ନୂଆ ଘଟଣା ପ୍ରତ୍ୟେକ ମୂହୁର୍ତରେ ଘଟିଚାଲିଛି । ଅଭିନବ ଉଦ୍‌ଭାବନ ଅହରହ ସୃଷ୍ଟିହେଉଛି ।

ଅଧିକ ପଢନ୍ତୁ: କଳିକାଳ ପରେ ମହା କଳିକାଳ: କରୋନା କରାଳ…

ବିଶ୍ୱର କୋଣେ ଅନୁକୋଣେ ଯେକୌଣ ସି ସାଧାରଣ-ଅସାଧାରଣ ଘଟଣା – ଅଘଟଣା ଘଟିଯାଉଛି, ଆଖି ପିଛୁଳାକେ ସମୁଦ୍ରର ଢେଉ ଭଳି ଜନମାନସରେ ପ୍ରତିଧ୍ୱନୀତ ହେଉଛି ।

ବର୍ତମାନ ସଂକଟଗ୍ରସ୍ତ ବିଶ୍ୱ ପୁଞ୍ଜିବାଦ । ଅଦୃଶ୍ୟ ଶତ୍ରୁ କରୋନାଭୂତାଣୁ ଦ୍ୱାରା ଚରମ ସଂକଟରେ ଜର୍ଜରିତ । ୧୯୩୦ ଓ ୨୦୦୮ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଧିରେଧିରେ ସୁଧୁରିଲାବେଳକୁ ୨୦୨୦ରେ ଚରମ ଅର୍ଥନୈତିକ ମାନ୍ଦାବସ୍ଥା ମାଡିଆସୁଛି । ଆଜି ତମାମ୍‌ବିଶ୍ୱ ଏକ ଏରକାଅରଣ୍ୟ ଏବଂ ବିଶ୍ୱବାସୀ ନବ୍ୟ ଯଦୁବଂଶରେ ପରିଣତ । ବିଶ୍ୱାସ ହୀନତାର ବିଶାକ୍ତ ବଳୟ ମଧ୍ୟରେ ଅଟକ ବନ୍ଦୀ ସମଗ୍ର ବିଶ୍ୱର ଆତ୍ମା । ତା’ ମନରେ ମରଣାତ୍ମକ ମହାଦେଶର ଚାପା କାନ୍ଦଣା, ପ୍ରାଣରେ ପ୍ରାଣରେ ହତାଶ ର ହାଃହାଃକାର, ଆଗକୁ ଚାଲିବାର ପଣ ଓ ରଣ ହୁଂକାରସବୁ ଆଜି ଆସନ୍ନ ପରାଜୟର ଆର୍ତନାଦ । ଚାରିପଟର ଚିତ୍ରରେ କଦର୍ମାକ୍ତ କଳଙ୍କର କାଳିମା । ଏ କଳଙ୍କ ଆଜିବିଶ୍ୱବାସୀଙ୍କ ପକ୍ଷରେ ଏକ ଆତଙ୍କ…… ଚରିଯାଉଛି ଶିରାପ୍ରଶିରାରେ, ସ୍ନାୟୁ ଓ ସତାରେ । ଦୁର୍ନିତୀ, ଜାଲିଆତି, ଭ୍ରଷ୍ଟାଚାର, ଘୋଟାଲା, କେଳେଙ୍କାରୀ, ଧୋକ୍କାବାଜି-ସ୍କାମକରୁଛନ୍ତି ଥୋକେ-ମରୁଛନ୍ତି ଲୋକେ । ଏହି ଥୋକେ ହେଲେ ଆଜିର ତଥାକଥିତ ନବ୍ୟନିୟନ୍ତା, ନେତୃବର୍ଗ ଓ ତାଙ୍କରି ପୃଷ୍ଠପୋଷକତା କଳାକୁବେର ଶ୍ରେଣୀ ।

ବିଶ୍ୱ ଶ୍ରମିକଶ୍ରେଣୀ ୧୨୪ ବର୍ଷ ଧରି ଆର୍ନ୍ତଜାତିକ ଶ୍ରମିକ ଦିବସଭାବେ ‘ମଇ ପହିଲା’ ପାଳନ କରିଆସୁଛି । ଏ ବର୍ଷ ଶ୍ରମିକ ଦିବସ ପାଳନ କରିବାରେ ଘୋରବାଧା ସୃଷ୍ଟି ହେବାକୁ ଯାଉଛି । ଯାହା ଜଣାପଡୁଛି – ସରକାର ଓ ମାଲିକ ଶ୍ରେଣୀ ଦିନକୁ ଆଠଘଂଟା ଶ୍ରମଦିବସ ପରିବର୍ତେ ବାରଘଂଟା କରିବାକୁ ଯାଉଛନ୍ତି । ଏହା ଆଗାମୀ ଦିନ ପାଇଁ ଭୟଙ୍କର ଗୃହଯୁଦ୍ଧର ସମ୍ଭାବନା ଦେଖାଦେଉଛି । ହେମୋର ପ୍ରିୟ ଶ୍ରମିକ ଭାଇ-ଭଉଣୀଏ, ଆଉ ମୁଣ୍ଡରେ ହାତଦେଇ ବସିବାର ବେଳ ନୁହେଁ – ଅଧିକାର ଛିଣ୍ଡେଇ ଆଣିବାର ସମୟ ଆସିଯାଇଛି – କଷ୍ଟ କିମ୍ବା ମୃତ୍ୟୁକୁ ଭୟ କରନାହିଁ – ସଚ୍ଚା ନେତୃତ୍ୱ ଓ ସଠିକ୍ ମାର୍ଗରେ ପ୍ରାଣମୁର୍ଚ୍ଛା ଲଢେଇ କର । ଜୟ ସୁନିଶ୍ଚିତ୍ ।

ଯାଜପୁର ରୋଡ, ଯାଜପୁର – ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.