Latest Odisha News

ହେଲମେଟ୍ ଚେକିଂ ବେଳେ ବଚସାରୁ ପୋଲିସ-ଅବସରପ୍ରାପ୍ତ ସେନା କର୍ମଚାରୀ ପିଟାପିଟି

କେନ୍ଦ୍ରାପଡ଼ା: ଖାକିର ଦାଦାଗିରି । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସର୍ବସମ୍ମୁଖରେ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏସମ୍ପର୍କିତ ଭିତିଓ ଏବେ ଭାଇରାଲ୍ ହୋଇଛି । ହେଲମେଟ୍ ଓ ମାସ୍କ ଚେକିଂ ବେଳେ ବଚସାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ତିନିମୁହାଣି ଛକଠାରେ ଗତକାଲି ରାତିରେ ପୋଲିସ ଫୋର୍ସ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଘେରିଯାଇ ଟଣା ଓଟରା କରିବା ସହ ମାଡ଼ ମାରୁଛନ୍ତି । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି । ମନୋରଞ୍ଜନ ବି ଜଣେ ମହିଳା ପୋଲିସଙ୍କୁ ଆକ୍ରମଣ କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ା ସହର ଗରାପୁର ବଉଳବିହାରରେ ରହୁଥବା ଅବସରପ୍ରାପ୍ତ ସେନା କର୍ମଚାରୀ ମନୋରଞ୍ଜନ ରାଉତ ଓ ତାଙ୍କ ପତ୍ନୀ ଗତକାଲି ବଜାରରୁ ଫେରୁଥିଲେ । ଅଭିଯୋଗ ହୋଇଛି, ବାଟରେ ହେଲମେଟ୍, ମାସ୍କ ଓ ଡିଏଲ୍ ଚେକିଂ ବେଳେ ଖିଲାପ କରିଥିବାରୁ ସେ ଫାଇନ୍ ଦେଇଥିଲେ ।

ତିନିମୁହାଣି ନିକଟରେ ପୁନର୍ବାର ତାଙ୍କୁ ଫାଇନ୍ ଦେବାକୁ କହିଥିଲା ଟାଉନ୍ ଥାନା ପୋଲିସ । ପୂର୍ବରୁ ଜରିମାନା ବାବଦରେ କାଟିଥିବା ରସିଦ ଦେଖାଇଥିଲେ ବି ତାଙ୍କ କଥା କେହି ଶୁଣି ନଥିବା ଅଭିଯୋଗ ହୋଇଛି । ପ୍ରତିବାଦ ବେଳେ ଚେକିଂ ଦାୟିତ୍ୱରେ ଥିବା ପୋଲିସ ସହ ତାଙ୍କ କଥା କଟାକଟି ଓ ପରେ ଧସ୍ତାଧସ୍ତି ହୋଇଥିଲା ।

ମନୋରଞ୍ଜନ ରାଉତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ପୋଲିସ କହିଛି, ସେ ଟ୍ରାଫିକ ନିୟମର ଉଲ୍ଲଂଘନ କରିଥିଲେ । ଜରିମାନା କାଟିବାରୁ କାର୍ଯ୍ୟରେ ଥିବା ମହିଳା କନେଷ୍ଟବଳ ଓ ଏଏସଆଇଙ୍କୁ ମନୋରଞ୍ଜନ ଦୁର୍ବ୍ୟବହାର ସହିତ ମରଣାନ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.