ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ) ଓଡ଼ିଆ ଡ଼ାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଅଲିମ୍ପିକ୍ସ କ୍ରୀଡ଼ା ଲାଗି ‘ମେଡ଼ିକାଲ୍ ଅଫିସର’ ଭାବେ ନିଯୁକ୍ତ କରିଛନ୍ତି ।
ଏଫଆଇଏଚର ସଦ୍ୟତମ ସୂଚନାନୁଯାୟୀ, ଡ଼ାକ୍ତର ଶ୍ରୀ ନାୟକଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା ଏବଂ ଜର୍ମାନୀ ପରି ରାଷ୍ଟ୍ରରୁ ଜଣେ କରି ଦୁଇଜଣ ଡ଼ାକ୍ତରଙ୍କୁ ମେଡ଼ିକାଲ୍ ଅଫିସର ଭାବେ ଆଗାମୀ ଅଲିମ୍ପିକ୍ସ ଲାଗି ନିଯୁ୍କ୍ତ କରିଛନ୍ତି ।
ଶ୍ରୀ ନାୟକ ହେଉଛନ୍ତି ପ୍ରଥମ ଭାରତୀୟ ଡ଼ାକ୍ତର ଯିଏକି ବିଶ୍ୱକପ ହକି ପ୍ରତିଯୋଗିତାରେ ମେଡ଼ିକାଲ୍ ଅଫିସର ଭାବେ ନିଯୁକ୍ତି ପାଇଥିଲେ । ସେ ୨୦୧୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟରେ ମେଡ଼ିକାଲ୍ ଅଫିସର ଭାବେ ନିଯୁକ୍ତ ହୋଇ ସୂଚାରୁରୂପେ ନିଜ ଦାୟିତ୍ୱ ତୁଲାଇପାରିଛନ୍ତି ।
ଡ଼ାକ୍ତର ନାୟକ କ୍ୟୁବାର ହାଭାନାସ୍ଥିତ ‘ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ସ୍ପୋର୍ଟସ ମେଡ଼ିସିନ’ ଅନୁଷ୍ଠାନରୁ ‘ସ୍ପୋର୍ଟସ ଟ୍ରଉମାଲୋଜି ଏଣ୍ଡ ସ୍ପୋର୍ଟସ ଏଣ୍ଡ ଏକ୍ସରସାଇଜ ଫିଜିଓଲୋଜି’ରେ ସଫଳତାର ସହିିତ ତାଲିମ ପ୍ରାପ୍ତ ହୋଇଛନ୍ତି । ସେହିପରି ସ୍ପେନର ମାଦ୍ରିଦଠାରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ ସେଣ୍ଟରରୁ ମଧ୍ୟ ଶିକ୍ଷାପ୍ରାପ୍ତ ହୋଇଛନ୍ତି ।
ଡ଼ାକ୍ତର ନାୟକ ୨୦୦୭ରେ ଦୁଇବର୍ଷ ଲାଗି ଭାରତୀୟ ଯୁବ ଜାତୀୟ ବକ୍ସିଂ ଟିମ୍ ର ଟିମ୍ ଡ଼ାକ୍ତର ଭାବେ କାର୍ଯ୍ୟ କରି ପ୍ରଥମ ଅନ୍ତର୍ଜାତୀୟ ଅନୁଭବ ଗ୍ରହଣ କରିପାରିଥିଲେ ।
Comments are closed.