ଭୁବନେଶ୍ୱର:ଏବେ ସବୁକିଛି ଅନ୍ଲାଇନ୍ରେ ଉପଲବ୍ଧ । ଯେ କୌଣସି ଜିନିଷ ଅନ୍ଲାଇନ୍ରେ ମଗାଇବା ପରେ କମ୍ପାନୀରୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ମାଧ୍ୟମ । ହେଲେ ଠିକ୍ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜଣେ ଡେଲିଭରି ବୟ ସାମ୍ନା କରୁଥିବା ଅସୁବିଧାକୁ ନେଇ ନିର୍ମାଣ ହୋଇଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ଡେଲିଭରି ବୟ’ ।
ଭୁବନେଶ୍ୱର କେଶରୀ ଟକିଜ୍ରେ ଚଳଚ୍ଚିତ୍ରର ଫାଷ୍ଟଲୁକ୍ ଶୋ ପ୍ରଦର୍ଶିତ ହୋଇଥିଲା । ଦର୍ଶକମାନଙ୍କ ଦ୍ୱାରା ଫାଷ୍ଟଲୁକ୍ ବି ବେଶ୍ ଆଦୃତ ହୋଇଥିଲା । ସିନେମାର ଏହି ଶୋକୁ ବିଧାୟକ ଅନନ୍ତ ନାରାୟଣ ଜେନା, କାଉନସିଲର ରଞ୍ଜୁଲତା ରାୟ, ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ, ଅଭିନେତା ଶୈଳେନ୍ଦ୍ର, ଶକ୍ତି ବରାଳ, ସୁର୍ଯ୍ୟମୟୀ, ପ୍ରିୟମ୍ବଦା, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ପ୍ରଯୋଜକ ଟୁଟୁ ନାୟକ, ରମେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ଏଇ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଛନ୍ତିି ପରିଚିତ ପ୍ରଯୋଜକ ଜେ .ଆର.ଏମ୍ । ଦୀପକ ଜେନା ସଂଳାପ ଲେଖିଥିବା ବେଳେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ । ଏହି ଚଳଚ୍ଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି । ଏଥିରେ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି ।
ଏକ ବାସ୍ତବ ଘଟଣାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି । କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି କହିଛନ୍ତି । ୩୮ ଦିନ ସମୟ ମଧ୍ୟରେ ପ୍ରସ୍ତୁତ ହେଇଥିବା ଏଇ ଚଳଚ୍ଚିତ୍ର ସଙ୍ଗୀତରେ ପ୍ରଥମ ଥର ପାଇଁ ଏହାର ଶୀର୍ଷକ ଗୀତକୁ ରାପ୍ ସଙ୍ଗୀତରେ ସଜାଯାଇଛି । ଏହା ସହ ‘ପାନ ଗୁଆ ଖଇର ଗୁଆକାତି…, ଆମେ ସବୁ ଗଭର୍ଣ୍ଣରଙ୍କ ବଡ଼ ନାତି… ଭଳି ଆଉ ଚାରିଟି ଗୀତ ରହିଛି । ଭୁବନେଶ୍ୱରସ୍ଥିତ ଉତ୍କଳ ଗ୍ୟାଲେରିଆଠାରେ ଏହି ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ହୋଇଯାଇଛି ।
Comments are closed.