Latest Odisha News

୧ଟା ୨୮, ଶୁଭ ମୁହୂର୍ତ୍ତରେ ଖୋଲିଲା ରତ୍ନଭଣ୍ଡାର

ପୁରୀ: ଅନେକ ବର୍ଷର ଅପେକ୍ଷାର ହେଲା ଅନ୍ତ । ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର । ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି । ଏହାପରେ ଭିତର ରତ୍ନଭଣ୍ଡାରର ଦ୍ବାରା ଫିଟାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।

ତେବେ ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର । ୧୯୭୮ରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି କରାଯାଇଥିଲା । ଯାହା ପ୍ରାୟ କରିବାକୁ ୭୬ ଦିନ ସମୟ ଲାଗିଥିଲା । ତେବେ ଦୀର୍ଘ ଦିନ ପରେ ପୁଣି ଥରେ ଆଜିର ଦିନରେ ଖୋଲିଛି ରତ୍ନ ଭଣ୍ଡାର । ଧିରେ ଧିରେ ଗୋଟେ ପରେ ଗୋଟେ ଦ୍ବାର ଖୋଲି ଭିତରକୁ ପ୍ରବେଶ କରୁଛନ୍ତି ନିର୍ଦ୍ଧାରିତ ଟିମ୍ ।

ତେବେ କହିରଖୁଛୁ, ରତ୍ନଭଣ୍ଡାରର ମୋଟ ୭ଟି ଦ୍ବାର ରହିଛି । ପୂର୍ବରୁ ତିନୋଟି ଦ୍ବାର ଖୋଲାଯାଇ ଚଳପ୍ରଚଳ କରାଯାଉଥିଲା । ହେଲେ ଆଜି ପ୍ରଥମ କରି ୪ର୍ଥ ଦ୍ବାର ଠାରୁ ଭିତରକୁ ସମସ୍ତ ଦ୍ବାର ଫିଟାଯାଇ ଯାଞ୍ଚ କରାଯିବ । ତେବେ ସୁରୁଖରୁରେ ତିନୋଟି ଦ୍ବାର ଖୋଲିଲେ ମଧ୍ୟ ଏହା ପରବର୍ତ୍ତୀ ଦ୍ବାର ଖୋଲିବା ନିହାତି ଆହ୍ବାନ ପୂର୍ଣ୍ଣ ହୋଇପାରେ ।

ତେବେ ଏହି ରତ୍ନ ଭଣ୍ତାର ଖୋଲିବା ପାଇଁ ମୋଟ୍ ୧୧ଜଣ ସଦସ୍ୟ ପୂର୍ବ ନିର୍ଦ୍ଧାରିତ ସମୟରେ ଭିତରକୁ ଯାଇଛନ୍ତି । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଥିଲା । ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ୧୫ ଜଣିଆ ଓଡ୍ରାଫ ଟିମ୍‌ । ହାଇମାସ୍କ ଲାଇଟ ଧରି ଭିତରକୁ ଯାଇଛନ୍ତି ଓଡ୍ରାଫ ଟିମ୍‌ । ରତ୍ନଭଣ୍ଡାର ଖୋଲିବା ବେଳେ ସାପ ଥିବା ଅନୁମାନ କରାଯାଉଛି । ତେଣୁ ସ୍ନେକ୍ ହେଲପ୍ ଲାଇନ ଟିମ୍‌ ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି । ସେପଟେ ଓଡିଶା ପୋଲିସ୍ ସୁରକ୍ଷା ଦାୟିତ୍ବରେ ଶ୍ରୀମନ୍ଦିର ବାହାରେ କଡା ପହରା ଦେଉଥିଲେ ମଧ୍ୟ ଏବେ ଆରଏଏଫ ଯବାନମାନେ ଆଜି ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ତେଣୁ ଆଜି ଗଣତି ହେବନି, କେବଳ ଭିତର ଓ ବାହାରର ଚାବି ଖୋଲାଯିବ । ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ କାର୍ଯ୍ୟ ହେବ । ଏଥିପାଇଁ ୬ଟି ସ୍ବତନ୍ତ୍ର ସିନ୍ଦୁକ ପ୍ରସ୍ତୁତ ହୋଇଛି । ଏହି ସିନ୍ଦୁକରେ ଅଳଙ୍କାର ସିଫ୍ଟ କରାଯାଇ ନିର୍ଦ୍ଧାରିତ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବ । ତେବେ ପ୍ରଥମେ ବାହାର ରତ୍ନ ଭଣ୍ଡାର ପରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ । ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ବାହାର ରତ୍ନଭଣ୍ଡାର ଫିଟାଇ ଭିତରକୁ ପ୍ରବେଶ କରାଯାଇଛି । ଏହାସହିତ ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

Comments are closed.