ଭୁବନେଶ୍ବର/ନୂଆଦିଲ୍ଲୀ: ଉଭୟ ଦିନ ବେଳା କେମିତି ଅନୁଭବ କରୁଛନ୍ତି ଆପଣ? ତିନି ମାସ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ ସହିତ ବାତ୍ୟାର ମାସ କୁହାଯାଉଥିବା ଅକ୍ଟୋବରରେ ଯେଉଁଭଳି ତାତି ଏବଂ ଗୁଳୁଗୁଳି ରହିଛି କ’ଣ ଭାବୁଛନ୍ତି? ପୂର୍ବବର୍ଷ ତୁଳନାରେ ଚଳିତଥର ଅକ୍ଚୋବର ମାସରେ ଅଧିକ ଗରମ ଅନୁଭୂତ ହେଉଛି କି? ଏହି ପ୍ରଶ୍ନ ଏବେ କେବଳ ଓଡ଼ିଶା କି ଦିଲ୍ଲୀ ନୁହେଁ ସମଗ୍ର ଭାରତବର୍ଷରେ ଉପୁଜିଛି।
ଗତ କିଛି ଦିନ ହେବ ଦିଲ୍ଲୀରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହୁଥିବା ବେଳେ ଅକ୍ଟୋବରରେ ବର୍ତ୍ତମାନ ସୁଦ୍ଧା ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ସମାନ ସ୍ଥିତି ଭୁବନେଶ୍ବରରେ ମଧ୍ୟ ରହିଛି। ସକାଳ ୧୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଟପିଯାଉଛି। ଉତ୍ତରା ପବନ ହେଉ ନ ଥିବାରୁ ଦିନର ତାପମାତ୍ରା ୩୬ ଡିଗ୍ରୀ ରହୁଥିଲେ ମଧ୍ୟ ୪୩ ଡିଗ୍ରୀ ପରି ଅନୁଭୂତ ହେଉଛି।
ଦିଲ୍ଲୀ ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ଦିନରେ ପ୍ରବଳ ଗରମ ଅନୁଭୂତ ହେବ। ଗତବର୍ଷ ଅକ୍ଟୋବର ୮-୯ରେ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିବାରୁ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଥିଲା। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ୩୫-୩୬ ଡିଗ୍ରୀ ସେଲସିୟସ୍ ରହିବ। ତେବେ ଅକ୍ଟୋବର ୧୬ ତାରିଖରେ ଏହା ୩୪ ଡିଗ୍ରୀ ତଳକୁ ଖସି ଆସିପାରେ। ଅକ୍ଟୋବର ୧୬ ଓ ୧୭ ତାରିଖରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ଅପରପକ୍ଷରେ ୨୦୨୨ ଅକ୍ଟୋବରରେ ସର୍ବାଧିକ ତାପମାତ୍ରା ଅକ୍ଟୋବର ୨ରେ ୩୫.୨ ଡିଗ୍ରୀ ସେଲସିୟସ ରହିଥିଲା। ଗତ ଅକ୍ଟୋବର ୮ ତାରିଖରେ ତାପମାତ୍ରା ୩୦ ଡିଗ୍ରୀ ତଳକୁ ଖସି ଯାଇଥିଲା ଏବଂ ଅକ୍ଟୋବର ୮ରୁ ୧୨ ତାରିଖ ମଧ୍ୟରେ ଗୋଟିଏ ଦିନ ପ୍ରବଳ ବର୍ଷା ସହ ୪ ଦିନ ଧରି ସହରରେ ବର୍ଷାର ସ୍ଥିତି ଦେଖିବାକୁ ମିଳିଥିଲା।
ପାଣିପାଗ ବିଭାଗର ଅଧିକାରୀଙ୍କ କହିବାନୁସାରେ, ସାଧାରଣତଃ ଅକ୍ଟୋବର ମାସରେ ରାଜଧାନୀ ଦିଲ୍ଲୀରେ ଦିନର ତାପମାତ୍ରା ତିନି-ଚାରି ଡିଗ୍ରୀ ହ୍ରାସ ପାଇଥାଏ। ଜଣେ ଅଧିକାରୀ କହିଛନ୍ତି, “ଯଦି ଏକ ସକ୍ରିୟ ପଶ୍ଚିମା ପବନ ଏହି ଅଞ୍ଚଳକୁ ପ୍ରଭାବିତ କରେ, ତେବେ ହଠାତ୍ ତାପମାତ୍ରା ହ୍ରାସ ପାଇପାରେ।
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି। ଯେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ସ୍ଥାନରେ ବର୍ଷା ହୋଇନାହିଁ। ସ୍ବାଭାବିକ ତାପମାତ୍ରା ୩ ଡିଗ୍ରୀ ଅଧିକ ରହିଛି।
ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷା କିମ୍ବା ପବନ ହେବାର ସମ୍ଭାବନା ଆଦୌ ନାହିଁ। ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ।
Comments are closed.