Latest Odisha News

BREAKING NEWS

ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଂଘନ ପାଇଁ ଭୁବନେଶ୍ୱରରେ ମାମଲା ରୁଜୁ

ଭୁବନେଶ୍ୱର: ନିକଟରେ ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ମଧ୍ୟ ଏଥିରେ ଖିଲାପ କରିଥିବା ଜଣାପଡିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରାଯାଇଛି । ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଏକ ମିଳିତ ଟିମ୍ ଆଜି ଶୈଳଶ୍ରୀ ବିହାର ଅଞ୍ଚଳରେ ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବିଭିନ୍ନ ବ୍ୟକ୍ତିଙ୍କ ଘରକୁ ପରିଦର୍ଶନରେ ଯାଇଥିଲେ । ଏହି ତଦାରଖ ସମୟରେ ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ହୋମ୍ କ୍ୱାରେଣ୍ଟାଇନ ନିୟମ ଉଲଂଘନ କରିଥିବା ଜଣାପଡିଥିଲା । ଏହାପରେ ଏଥିନେଇ ଥାନାରେ ମାମଲା ରୁଜ୍ଜୁ କରାଯିବା ସହ ସେହି ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍‌ପିଟାଲ୍‌ର ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ସଂକ୍ରମଣ ରୋକିବା ପାଇଁ କର୍ତ୍ତୃ ପକ୍ଷଙ୍କ ତରଫରୁ ହୋମ କ୍ୱାରେଣ୍ଟାଇନରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଅଲଗା ଭାବରେ ଘର ଭିତରେ ହିଁ ରହିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆଜି କଟକ ପୁରୀଘାଟ ଥାନା ଅଂଚଳରେ ମଧ୍ୟ ହୋମ କ୍ୱାରେଣ୍ଟାଇନ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଥିଲେ ।

Comments are closed.