Latest Odisha News

BREAKING NEWS

ଭୁବନେଶ୍ୱର: ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ, ରୋଷଘରର ୨୦ ବଖରା ଭସ୍ମୀଭୁତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ରୋଷଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ମନ୍ଦିରର ରୋଷଘରର ପାଖାପାଖି ୨୦ଟି ବଖରା ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ମିଳିଥିବା ସୂଚନାନୁଯାୟୀ ପୁରୁଣା ଭୁବନେଶ୍ୱରରେ ଥିବା ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିରର ରୋଷଘର ଗୁଡିକ ଛଣରେ ତିଆରି ହୋଇଛି ।

ତେବେ କୌଣସି କାରଣରୁ ଏଥିରେ ନିଆଁ ଲାଗି ଯିବାରୁ ରୋଷଘରଟି ପୂରାପୂରି ଜଳି ଭସ୍ମୀଭୁତ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ ଏହି ଅଗ୍ନିକାଣ୍ଡର ସଠିକ୍ କାରଣ ଏଯାଏଁ ଜଣାପଡିନାହିଁ ।


ଏହି ଅଗ୍ନିକାଣ୍ଡ ଘଟଣା ଜାଣିବାପରେ ରାଜ୍ୟ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମନ୍ଦିର ପରିସରରେ ପହଞ୍ଚିଥିଲେ ।

ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିକୁ ଆକଳନ କରି ତୁରନ୍ତ ମରାମତି ଲାଗି ବିଭାଗ ପକ୍ଷରୁ ୩ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି ।

ରୋଷଘରର ମରାମତି କାର୍ଯ୍ୟ ଯେପରି ତୁରନ୍ତ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହେବ ଏବଂ ସ୍ୱାଭାବିକ ଭାବେ ରୋଷଘରରେ ଠାକୁରଙ୍କ ରୋଷେଇ ହୋଇପାରିବ ତାହା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିିତ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରିଛନ୍ତି ।

Leave A Reply

Your email address will not be published.