Latest Odisha News

BREAKING NEWS

ଶିମିଳିପାଳ ସହ ନୀଳଗିରି ସ୍ଥିତ କୁଳଡିହା ସଂରକ୍ଷିତ ଅଭୟାରଣ୍ୟ ବି ଜଳୁଛି

ବାରିପଦା/ନୀଳଗିରି: ଜଳୁଛି ଜଙ୍ଗଲ, ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି ନିଆଁ । ପ୍ରାୟ ୧୦ ଦିନ ହେଲାଣି ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ଗୋଟିଏ ସ୍ଥାନରେ ନିଆଁ ଆୟତ୍ତ ହେବା ବେଳକୁ ଅନ୍ୟ ସ୍ଥାନରେ ଲାଗି ଯାଉଛି । ଶିମିଳିପାଳର ଦୁଧିଆନି, ତାଳବନ୍ଧ, ଦୁଗୁଡ଼ିଆ, କେନ୍ଦୁମୁଦି ଓ ମରେହପାଲି ଭଳି ପ୍ରାୟ ୧୦ଟି କୋର୍ ଏରିଆରେ ନିଆଁ ଲାଗିଛି । ସେହିଭଳି ଜଙ୍ଗଲର ବଫର ଏରିଆରେ ଥିବା ପିଠାକଟା ରେଞ୍ଜ ଖସାଡ଼ିଆ ଜଙ୍ଗଲରେ ନିଆଁ ଲାଗିଛି । ତେବେ, ଶିମିଳିପାଳ ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ଥିବା ୱାଇଲ୍ଡଲାଇଫ୍ ପିସିସିଏଫ୍ କହିଛନ୍ତି ।

କେବଳ ଶିମିଳିପାଳ ଅଭୟାରଣ୍ୟ ନୁହେଁ ନୀଳଗିରି ସ୍ଥିତ କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ବି ନିଆଁ ଲାଗିଛି । ନଣ୍ଡାରି ପର୍ବତ ଶିଖରରେ ଲାଗିଥିବା ନିଆଁ ଏବେ ପପୁ ଅଞ୍ଚଳକୁ ବ୍ୟାପିଛି । ଅଭୟାରଣ୍ୟରେ ଥିବା ହରିଣ, ହାତୀ, ଭାଲୁ, ସମ୍ବରଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ଜଙ୍ଗଲ ନିକଟରେ ଥିବା ୨୦ରୁ ଅଧିକ ଗାଁର ଲୋକ ନିଆଁକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି । ନିଆଁକୁ ଆୟତ୍ତ ଲାଗି କୁଲଡିହା ବନ କର୍ମଚାରୀ, ସବୁଜ ବାହିନୀ, ଦମକଳ ବାହିନୀ ଉଦ୍ୟମ କରୁଛି ।

ଉତ୍ତର ଓଡ଼ିଶାର ଶିମିଳିପାଳ ଓ କୁଳଡିହା ଅଭୟାରଣ୍ୟରେ ଜଙ୍ଗଲ ଜଳୁଛି ତା’ନୁହେଁ । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ଜଙ୍ଗଲ ଜଳିବାରେ ଲାଗିଛି । କନ୍ଧମାଳ କଳିଙ୍ଗା ଘାଟିରେ ନିଆଁ ଲାଗିଛି । ଅନ୍ୟପଟେ ସୁନାବେଡ଼ା ଜଙ୍ଗଲର କିଛି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.