ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଜାରରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ଜଳି ପାଇଁଶ ହୋଇଯାଇଛି । ଏହାସହ ଦୋକାନ ଭିତରେ ଥିବା ମାଲିକ ମଧ୍ୟ ଏଥିରେ ପୋଡିହୋଇ ମୃତ୍ୟୁ ହୋଇଛି ।
ଆଜି ଅପରାହ୍ନ ସମୟରେ ଜଟଣୀ ରାଜା ବଜାରରେ ଥିବା ସୂର୍ଯ୍ୟ ମହାପାତ୍ରଙ୍କ ଲୁଗା ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖି ନିଆଁ ପୂରା ଦୋକାନରେ ବ୍ୟାପି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଦମକଳବାହିନୀକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଆୟତ୍ତ କରିଥିଲେ।
ଦୋକାନ ଭିତରୁ ମାଲିକ ସୂର୍ଯ୍ୟ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱରର ଏକ ଘରେଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ କେଉଁ କାରଣରୁ ଦୋକାନରେ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନଥିବାବେଳେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।