Latest Odisha News

BREAKING NEWS

ସରକାରୀ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମିତ ଯାଞ୍ଚ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସ୍‌ସିବି ମେଡିକାଲ କଲେଜରେ ନିଆଁ ଲାଗିବା ଘଟଣା ସରକାରଙ୍କୁ ଅଡୁଆରେ ପକାଇଛି । ଲୋକସେବା ଭବନ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲର ଅଗ୍ନିନିରାପତ୍ତା ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରାଜ୍ୟର ଅଗ୍ନି ନିରାପତ୍ତା ନିୟମକୁ କଠୋର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆପତକାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଓ ରୋଗୀଙ୍କ ସୁରକ୍ଷାକୁ ସର୍ବପ୍ରଥମ ଗୁରୁତ୍ୱ ଦେବାକୁ କୁହାଯାଇଛି । ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ହସ୍ପିଟାଲର ମୁଖ୍ୟମାନଙ୍କ ଦାୟିତ୍ବ ହେଉଛି ସେମାନେ ନିୟମିତ ବ୍ୟବଧାନରେ ଅଗ୍ନିନିରୋଧକ ଯନ୍ତ୍ର ଠିକ୍ ଭାବେ କାର୍ଯ୍ୟ କରୁଛି ନା ନାହିଁ ଯାଞ୍ଚ କରିବେ । ଉଦ୍ଧାର କାର୍ଯ୍ୟ ଓ ଜରୁରୀକାଳୀନ ସେବା ଯୋଗାଇବା ନେଇ ମକ୍‌ ଡ୍ରିଲ୍ କରିବେ। ଏନେଇ ପୂର୍ତ୍ତ ଓ ଅଗ୍ନିଶମ ବିଭାଗର ଅଧିକାରୀମାନଙ୍କ ସହ ସମନ୍ବୟ ରଖି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ବିଭିନ୍ନ ମେଡିକାଲ୍ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ୍‌, ସ୍ୱତନ୍ତ୍ର ସଚିବ ବିଜୟ ମହାପାତ୍ର ଓ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ କଲେଜ ମୁଖ୍ୟମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।

Leave A Reply

Your email address will not be published.