ଭୁବନେଶ୍ୱର : ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ବିପର୍ଯ୍ୟୟ ସମୟରେ ଏହି ଫୋର୍ସ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ । ରାଜ୍ୟରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍ । ଏଥିପାଇଁ ସୃଷ୍ଟି ହେବ ୧୪୪ଟି ପଦବୀ ।
ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ ଭାବରେ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରାଯିବ।
ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ ସଞ୍ଚାଳନା କରିଥିଲେ । ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କ ରେ ଉପସ୍ଥାପନା କରିଥିଲେ । ଆଲୋଚନା ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ ।
ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍ରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ଟି ରେଞ୍ଜ ପେଡକ୍ୱାଟର ରହିବ । ପ୍ରତ୍ୟେକ ରେଞ୍ଜ ପେଡକ୍ୱାଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ ।
.
Comments are closed.