Latest Odisha News

BREAKING NEWS

ରତ୍ନ ଭଣ୍ଡାର ଖୋଲିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର !

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବାକୁ ଦାବି ହୋଇ ଆସୁଛି। କିନ୍ତୁ ରାଜ୍ୟ ସରକାର ଏବେ ଏହି ରତ୍ନ ଭଣ୍ଡାର ଖୋଲି ବିବାଦୀୟ ହେବା ଭୟରେ ବୋଧହୁଏ ଖୋଲିବାକୁ ଚାହୁଁ ନାହାନ୍ତି ବୋଲି ଜଣାପଡିଛି। ନିକଟରେ ସୂଚନା ଅଧିକାର ଆଇନ ଜରିଆରେ ବଲାଙ୍ଗୀରର ଜଣେ ସୂଚନା ଅଧିକାର କର୍ମୀ ରତ୍ନ ଭଣ୍ଡାର ସଂପର୍କିତ କିଛି ତଥ୍ୟ ମାଗିଥିଲେ। କିନ୍ତୁ ରାଜ୍ୟ ସରକାର ଏ ସଂକ୍ରାନ୍ତରେ କୌଣସି ତଥ୍ୟ ନଦେବାକୁ ରାଜି ହୋଇନଥିବା ଜଣାପଡିଛି। ଏଥିସହିତ ରାଜ୍ୟ ସୂଚନା ଆୟୋଗ ନିକଟରେ ଜନସ୍ୱାର୍ଥ ସଂପର୍କିତ ସୂଚନା ସାର୍ବଜନୀନ ନକରିବାରୁ ଜଣେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀରଙ୍କ ଉପରେ ଜୋରିମାନା ଲଗାଇଛନ୍ତି।

ରତ୍ନଭଣ୍ଡାରର ଆଭ୍ୟନ୍ତରୀଣ ପ୍ରକୋଷ୍ଠ ଖୋଲିବା ପାଇଁ ଏସଜେଟିଏ ନିଷ୍ପତ୍ତି ନେଇପାରିବ ନାହିଁ  । ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା କହିଛନ୍ତି ଯେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆଗରେ ଆସନ୍ତା ବୈଠକରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ। ପରିଚାଳନା କମିଟିର ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ଏସଜେଟିଏ ପକ୍ଷରୁ କୁହାଯାଇଛି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଦାୟିତ୍ୱରେ ଥିବା ସେବାୟତ ନିରଞ୍ଜନ ମେକାପ କହିଛନ୍ତି ଯେ, ରତ୍ନଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହେବା ଫଳରେ ପାଣି ଖସୁଛି।

ସୁନା, ହୀରା ଅଳଙ୍କାର, ମୂଲ୍ୟବାନ ପଥର ଓ ଅନ୍ୟାନ୍ୟ ଅଳଙ୍କାର ଥିବା ଟ୍ରେଜେରୀର ଆଭ୍ୟନ୍ତରୀଣ ପ୍ରକୋଷ୍ଠ ଖୋଲିବା ପାଇଁ ରାଜ୍ୟ ସରକାର କେବେ ଉଦ୍ୟମ କରିନାହାନ୍ତି ବୋଲି ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ପ୍ରତି ତିନି ବର୍ଷରେ ରତ୍ନଭଣ୍ଡାର ଯାଞ୍ଚ କରିବାର ବ୍ୟବସ୍ଥା ରହିଛି। ହେଲେ ୪୪ ବର୍ଷ ଧରି ଏହା ବନ୍ଦ ରହିଛି ବୋଲି ବିଜେପି ନେତା ଦାବି କରିଛନ୍ତି। ଶାସକ ଦଳ ବିଜେଡିର ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ଚୁପ୍ ରହିଛନ୍ତି।

ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଜୁଲାଇ ୧୬ରେ ବିଧାନସଭାକୁ କହିଥିଲେ, ରତ୍ନଭଣ୍ଡାର ଖୋଲିବା ନେଇ ଯଦି କୌଣସି ପ୍ରସ୍ତାବ ଆସେ, ତେବେ ରାଜ୍ୟ ସରକାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ।

ଗୃହରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଦାବି କରିଥିଲେ ଯେ ଟ୍ରେଜେରୀରେ ଗଚ୍ଛିତ ଥିବା ସାମଗ୍ରୀର ତୁରନ୍ତ ସୂଚୀ ପ୍ରସ୍ତୁତ କରାଯାଉ। ସମ୍ପତିକୁ ନେଇ ଭକ୍ତଙ୍କ ସନ୍ଦେହ ଦୂର କରିବା ପାଇଁ ରତ୍ନଭଣ୍ଡାର ଖୋଲିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୁରୀ ରାଜା ଗଜପତି ମହାରାଜା ଦିବ୍ୟସିଂହ ଦେବ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୁରାତନ ଧାର୍ମିକ ସ୍ଥଳର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ମଧ୍ୟ ନିକଟରେ ରତ୍ନଭଣ୍ଡାର ଖୋଲି ଏହାର ଭୌଗଳିକ ଯାଞ୍ଚ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲା।

ଅନ୍ତିମ ଥର ପାଇଁ ୧୮୦୩ ଏବଂ ୧୯୨୬ରେ ରତ୍ନ ଭଣ୍ଡାର ଖୋଲା ହୋଇଥିଲା। ଏହି ସମୟରେ ସାମିଲ ଥିଲେ ଶ୍ରୀମନ୍ଦିର ପ୍ରଶାସକ ଟିମର ସଦସ୍ୟ ରବୀନ୍ଦ୍ର ନାରାୟଣ ମିଶ୍ର।

କେଉଁଠି ରହିଛି ରତ୍ନଭଣ୍ଡାର?

ଶ୍ରୀମନ୍ଦିରର ତଳ ମହଲାରେ ରହିଛି ରତ୍ନଭଣ୍ଡାର। ଏହାକୁ ଯାଞ୍ଚ କରିବା ଉଚିତ। ଜଳବାୟୁ ପ୍ରଭାବରେ ଟ୍ରେଜେରୀ କାନ୍ଥ କ୍ଷତିଗ୍ରସ୍ତ ହୋଇପାରେ। ଏହାର ମରାମତି ହେବା ଆବଶ୍ୟକ ବୋଲି ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ମନ୍ଦିରରେ ଦୁଇଟି ରତ୍ନଭଣ୍ଡାର ରହିଥିବା ସୂଚନା ରହିଛି। ବାହାର ଭଣ୍ଡାରରେ ଦୈନନ୍ଦିନ ଦେବଦେବୀଙ୍କ ଦ୍ୱାରା ବ୍ୟବହୃତ ଅଳଙ୍କାର ଗଚ୍ଛିତ ରହିଥିବାବେଳେ ଅନେକ ଅଳଙ୍କାର ରତ୍ନଭଣ୍ଡାରର ଭିତର ପ୍ରକୋଷ୍ଠରେ ରଖାଯାଇଥାଏ ବୋଲି ଶ୍ରୀମନ୍ଦିର ସୂତ୍ରରୁ ଜଣାପଡ଼ିଛି।

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ଏପ୍ରିଲରେ ‘ରତ୍ନଭଣ୍ଡାର’ର ଭିତର ପ୍ରକୋଷ୍ଠ ଖୋଲିବା ପାଇଁ ଉଦ୍ୟମ ହୋଇଥିଲା, କିନ୍ତୁ ସେ ସମୟରେ ଚାବି ନ ମିଳିବାରୁ ତାହା ସଫଳ ହୋଇନଥିଲା। ଏହାପରେ ଏଏସ୍ଆଇ ଅଧିକାରୀ, ପୂଜକ ଓ ଅନ୍ୟମାନେ ମିଶି ଏକ ଟିମ୍ ବାହାରୁ ଯାଞ୍ଚ କରିଥିଲେ।

Leave A Reply

Your email address will not be published.