ପାରାଦୀପ: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଓ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇରାକରୁ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ଧରି ଆସୁଥିବା ବେଳେ ବାଟରେ ଆକ୍ରମଣର ଶିକାର ହୋଇଥିବା ବିଶାଳ ତୈଳବାହୀ ଜାହାଜ ‘ଏମଟି ସନମର ହେରାଲଡ୍’ (MT Sanmar Herald) ଶେଷରେ ସୁରକ୍ଷିତ ଭାବେ ଓଡ଼ିଶାର ପାରାଦୀପ ବନ୍ଦରରେ ଆସି ପହଞ୍ଚିଛି। ମୃତ୍ୟୁମୁଖରୁ ଖସି ଆସିଥିବା ଏହି ଜାହାଜର ସମସ୍ତ କ୍ରୁ ମେମ୍ବର (ନାବିକ) ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଇରାକରୁ ବିପୁଳ ପରିମାଣର ତୈଳ ବୋଝେଇ କରି ଏହି ଜାହାଜଟି ବାହାରିଥିଲା। ତେବେ ସମୁଦ୍ର ପଥରେ ଯାତ୍ରା କରୁଥିବା ସମୟରେ ଅନ୍ତର୍ଜାତୀୟ ବାଣିଜ୍ୟିକ ମାର୍ଗ ଭାବେ ପରିଚିତ ‘ହର୍ମୁଜ ପ୍ରଣାଳୀ’ ନିକଟରେ ଜାହାଜଟି ଉପରେ ହଠାତ୍ ଆକ୍ରମଣ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ, ଆଇଆରଜିସି ପକ୍ଷରୁ ‘ସନମର ହେରାଲଡ୍’ ଉପରକୁ ଅତର୍କିତ ଗୁଳିମାଡ଼ କରାଯାଇଥିଲା। ତେବେ ଜାହାଜର କ୍ୟାପ୍ଟେନଙ୍କ ଉପସ୍ଥିତ ବୁଦ୍ଧି ଏବଂ ଦକ୍ଷତା ଯୋଗୁଁ ଜାହାଜଟି ବଡ଼ ଧରଣର ବିପଦରୁ ବର୍ତ୍ତିଯିବା ସହ ସେହି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ଖସି ଆସିବାରେ ସଫଳ ହୋଇଥିଲା।
ସମସ୍ତ ବାଧାବିଘ୍ନ ଓ ଭୟାବହ ପରିସ୍ଥିତିକୁ ଅତିକ୍ରମ କରି ଜାହାଜଟି ଆଜି ନିଜର ଗନ୍ତବ୍ୟସ୍ଥଳ ପାରାଦୀପ ବନ୍ଦରରେ ସଫଳତାର ସହ ଲାଗିଛି। ଜାହାଜରେ ଥିବା ସମୁଦାୟ ୨୦ ଲକ୍ଷ ବ୍ୟାରେଲ୍ କ୍ରୁଡ୍ ଅଏଲ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ମଧ୍ୟପ୍ରାଚ୍ୟରେ ସଙ୍କଟ ଘନୀଭୂତ ହେଉଥିବା ବେଳେ ବିଦେଶରୁ ଏତେ ପରିମାଣର ଅଶୋଧିତ ତୈଳ ସୁରକ୍ଷିତ ଭାବେ ଆସି ବନ୍ଦରରେ ପହଞ୍ଚିବା ଉଭୟ ପ୍ରଶାସନ ଓ ତୈଳ କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।
ଗୁଳିମାଡ଼ ଭଳି ଭୟଙ୍କର ଆକ୍ରମଣର ସମ୍ମୁଖୀନ ହୋଇ ନିଜର ତଥା ଜାହାଜର ସୁରକ୍ଷା କରିବାରେ ସଫଳ ହୋଇଥିବା କ୍ୟାପ୍ଟେନ୍ ଏବଂ ସମସ୍ତ ନାବିକମାନଙ୍କୁ ପାରାଦୀପ ବନ୍ଦରରେ ଏକ ଭବ୍ୟ ସ୍ୱାଗତ ଜ୍ଞାପନ କରାଯାଇଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ନିଜେ ଉପସ୍ଥିତ ରହି ଜାହାଜର କ୍ରୁ ମେମ୍ବରମାନଙ୍କୁ ସେମାନଙ୍କର ଅଦମ୍ୟ ସାହସ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ନାବିକମାନେ ସୁରକ୍ଷିତ ଭାବେ କୂଳରେ ପହଞ୍ଚିବା ପରେ ସମସ୍ତେ ଏକପ୍ରକାର ନୂଆ ଜୀବନ ପାଇଥିବା ଅନୁଭବ କରୁଛନ୍ତି। ବର୍ତ୍ତମାନ ଜାହାଜରୁ ତୈଳ ଖଲାସ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
