ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ସୁସାହିତ୍ୟିକ ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମାୟିକ ବ୍ୟକ୍ତିତ୍ୱ , ଚିନ୍ତାଧାରା , କର୍ମପ୍ରବଣତା ତଥା ଚିନ୍ତା ଚେତନା ବଳରେ ସେ ସମାଜର ସବୁ ବର୍ଗର ଲୋକଙ୍କ ନିକଟବର୍ତ୍ତୀ ହୋଇପାରିଥିଲେ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ସ୍ୱର୍ଗତଃ କରଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ସହ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ଆତ୍ମପ୍ରଭାନନ୍ଦଜୀ ସ୍ୱର୍ଗତଃ କରଙ୍କ ରାମକୃଷ୍ଣ ମଠ ସହ ସମ୍ପୃକ୍ତି ତଥା ମା ସାରଦା ଦେବୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ପ୍ରଭାବିତ ହୋଇ କିଭଳି ସେ ନିଜର କାର୍ଯ୍ୟଧାରା ଓ ସାହିତ୍ୟରେ ତାହା ପରିପ୍ରକାଶ କରୁଥିଲେ ତାହା ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଦୈନିକ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତଃ କର ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି ସହ ଦକ୍ଷିଣପନ୍ଥୀ ଚିନ୍ତାଧାରା , ଗାନ୍ଧୀବାଦୀ ଆଦର୍ଶ ଓ ଆଧ୍ୟାତ୍ମିକ ଚେତନା ସମନ୍ୱୟର ମହାନ ବ୍ୟକ୍ତିତ୍ୱ ଥିଲେ ବୋଲି ମତ ପ୍ରକାଶ କରିଥିଲେ।
ସ୍ୱର୍ଗତଃ କର ଜଣେ ନିର୍ଭୀକ ବ୍ୟକ୍ତି ଥିଲେ ଓ , ତାଙ୍କ ସହ ଅନେକ ସଂଗ୍ରାମରେ ସାଥି ରହି ଅନେକ ଅନୁଭୂତି ଏକାଠି ବାଣ୍ଟିଥିଲେ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ ମତବ୍ୟକ୍ତ କରିଥିଲେ।
କଂଗ୍ରେସ ନେତା ତଥା ଭାରତୀୟ ମହାବଧି ସୋସାଇଟିର ଉପାଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱର୍ଗତଃ କରଙ୍କୁ ଜଣେ ଆଦର୍ଶ କର୍ମଯୋଗୀ ବୋଲି କହିବା ସହ ତାଙ୍କର ସାହିତ୍ୟ ସାଧନା ପାଇଁ ସେ ସର୍ବଦା ସମସ୍ତଙ୍କ ସ୍ମୃତିରେ ରହିବେ ବୋଲି କହିଥିଲେ ।
ଏହି ସଭାରେ ଫରୱାଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଓ ନିତିଦିନର ସମ୍ପାଦକ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତଃ କରଙ୍କୁ ଏକ ନିର୍ଭିକ , ଆଦର୍ଶବାଦୀ ଓ ଜଣେ ବାସ୍ତବବାଦୀ କର୍ମଯୋଗୀ ଥିଲେ ବୋଲି ଅଭିହିତ କରିଥିଲେ
ଅଧ୍ୟାପକ ରମାକାନ୍ତ ମିଶ୍ର ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଧୀରେନ୍ଦ୍ର କର , ଶୋଭନ କର , ଜ୍ୟୋତି ପ୍ରସାଦ ମିଶ୍ର ଓ ରାମଚନ୍ଦ୍ର ମିଶ୍ର ଯୋଗଦେଇଥିଲେ । ସଭା ଶେଷରେ ସୁଭାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.