ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୁଲା କୁକୁର ଗଣନା କରାଯିବ । ତେବେ ରାଜ୍ୟରେ ଏହା ପ୍ରଥମଥର ପାଇଁ ହେବ । ସମୁଦାୟ ୬୭ଟି ଓ୍ୱାର୍ଡରେ ଏହି ଗଣନା କାର୍ଯ୍ୟ ଚାଲିବ । ଏଥିପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଗଠନ କରାଯାଇଛି ଟିମ୍ ।
ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ତଥା ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ଭୁବନେଶ୍ୱରବାସୀ ଆମର କୁକୁର ଗଣନାକାରୀଙ୍କୁ ସହଯୋଗ ଓ ସହାୟତା ପ୍ରଦାନ କରିବା ପାଇଁ ମାନନୀୟା ମେୟର ଓ କମିଶନର ଅନୁରୋଧ କରିଛନ୍ତି ।
ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା କରାଯିବ । ଭୋର ୫ଟାରୁ ସକାଳ ୭ଟା ଯାଏଁ ଏହି କୁକୁର ଗଣନା ଚାଲିବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ୨୦ ତାରିଖ ଏବଂ ଦ୍ୱିତୀୟ ପର୍ୟ୍ୟାୟ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଇଓ, ସିଓ, ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । ଏଥିପାଇଁ ସମୁଦାୟ ୪୧୦ଟି ଟିମ୍ ଗଠନ କରାଯାଇଛି । ଟିମ୍ ପୂରା ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇ ବୈଜ୍ଞାନିକ ପଦ୍ଧତିରେ କୁକୁର ଗଣନା କରିବ ।
Comments are closed.