Latest Odisha News

BREAKING NEWS

ମେ ୧୩ ରେ ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ, ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ଵର: ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର । ମେ’ ୧୩ରେ ଓଡିଶାର ଚାରୋଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। । ସେଥିପାଇଁ ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେଥିମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ଥିବା ବେଳେ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ଉର୍ଦ୍ଧ୍ବ ଭୋଟର ରହିଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ। ସେଥିମଧ୍ୟରୁ ୧୪ ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି ବୋଲି ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏହି ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ମତଦାତା ରହିଛନ୍ତି । ସେହିପରି ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ଓ ଧର୍ମଗଡ଼ରେ ସର୍ବାଧିକ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ସାମଗ୍ରିକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଉର୍ଦ୍ଧ୍ଵ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି ।

ଏହି ପର୍ଯ୍ୟାୟରେ ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ରହିଥିବା ୭୩୦୩ ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି । ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସର୍ବମୋଟ ୭୩୦୩ଟି ବୁଥ୍‌ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ ।

Comments are closed.