Latest Odisha News

ସରିଲା ଓଡ଼ିଆ ଭାଷା ମହାକୁମ୍ଭ: ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଉଦ୍‌ଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି। ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା । ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା। ତେବେ ମ୍ୟୁଜିଅମର ସମୟସୀମା ଆଉ ୩ ଦିନ ବୃଦ୍ଧି କରାଯାଇଛି।

ଓଡିଆ ଭାଷା ଯୁବପିଢିର ଭାଷା ହୋଇପାରିଲେ, ଆମେ ସମସ୍ତେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଓଡିଆ ଭାଷା ନିଶ୍ଚୟ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେ ହେତୁ ବର୍ତ୍ତମାନ ବିଧାନସଭା ଚାଲିଛି, ତେଣୁ, ଭାଷା ସଂପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିବେ ବୋଲି କହିଛନ୍ତି । ଯୁଗ ଯୁଗ ଧରି ଓଡ଼ିଆ ଭାଷା, ଆମ ଓଡ଼ିଆ ଜାତିର ପରିଚୟକୁ ଆଗକୁ ନେଇଛି ବୋଲି ମତଦେଇ ସେ ସମସ୍ତଙ୍କୁ ଆଜିର ମହାର୍ଘ ଅବସରରେ ସମସ୍ତେ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି । ଓଡ଼ିଆରେ ନୂଆ ନୂଆ ଶବ୍ଦ ସୃଷ୍ଟି କରି ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବାକୁ ସେ କହିଛନ୍ତି । ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ସଂପର୍କରେ ଆଲୋକପାତ କରି ସେ କହିଛନ୍ତି ଯେ, ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ଼ ଆହ୍ବାନ । ତେଣୁ, ଓଡ଼ିଆ ଭାଷାକୁ ଏହା ସହ ସମନ୍ବିତ କରିବାକୁ ହେବ ବୋଲି ସେ ମତ ଦେଇଛନ୍ତି ।

ଯୁବ ସମାଜକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ମୁଁ ଆଶା କରୁଛି ଓଡ଼ିଆ ଭାଷା ଆମ ଯୁବପିଢିର ଭାଷା ହେବ । ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ।’ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ପୁସ୍ତକର ଉନ୍ମୋଚନ କରିଥିଲେ। ପ୍ରଥମଟି ହେଉଛି ହିନ୍ଦୁ ଗ୍ରୁପ ଦ୍ବାରା ପ୍ରକାଶିତ – ଶ୍ରୀ ଜଗନ୍ନାଥ: ଲର୍ଡ ଅଫ ୟୁନିଭର୍ସ, ଦ୍ବିତୀୟଟି– ଓଡ଼ିଆ: ଜର୍ଣ୍ଣି ଅଫ ଏ ଲାଙ୍ଗୁଏଜ, ଏହି ପୁସ୍ତକଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା (ସ୍ପେଶିଆଲ ଇନିସିଏଟିଭ୍‌ସ) ଆର୍‌ ବାଲକ୍ରିଷ୍ଣନଙ୍କ ପରିକଳ୍ପନା ଏବଂ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକଙ୍କ ଦ୍ବାରା ରଚିତ ହୋଇଛି । ତୃତୀୟରେ ମ୍ୟାଜିକାଲ ଟେଲସ ଫ୍ରମ ଓଡିଶା ପୁସ୍ତକର ଦୁଇଟି ଅନୁବାଦ ପୁସ୍ତକ । ଏହି ପୁସ୍ତକଟି ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Comments are closed.