Latest Odisha News

BREAKING NEWS

ଆକାଶରୁ ଖସିଲା ମାଛ, କଟିଗଲା ବିଜୁଳି

ନୂଆଦିଲ୍ଲୀ:ଅନ୍ଧାର ଭିତରେ କିଛି ସମୟ ପାଇଁ ହଜିଗଲା ଆମେରିକାର ଏକ ସହର | ଆକାଶରୁ ଖସିଲା ମାଛ ଓ ଆମେରିକାର ନ୍ୟୁଜର୍ସି ସହରରେ କଟିଗଲା ବିଜୁଳି | ଆକାଶରୁ ଗୋଟାଏ ମାଛ ଖସିବା କାରଣରୁ ଆମେରିକାର ନ୍ୟୁଜର୍ସି ସହର ଅନ୍ତଗର୍ତ ସେରିଭିଲି ଅଞ୍ଚଳରେ ବିଜୁଳି କଟିଯାଇଥିଲା । ଗତ ଶନିବାର ଦିନ ସେରିଭିଲି ପୋଲିସ୍‌ ‘ଫେସ୍‌ବୁକ୍‌’ ପୋଷ୍ଟ୍‌ରେ ଏମିତି  କିଛି ଉଲ୍ଲେଖ କରିଥିବା ନେଇ ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି | ବିଜୁଳି କଟିଯିବା ଫଳରେ ସେରିଭିଲି ଅଞ୍ଚଳର ପ୍ରାୟ ୨,୧୦୦ରୁ ଅଧିକ ଲୋକ କିଛି ଘଣ୍ଟା ପାଇଁ ଅନ୍ଧାରରେ ରହିଥିଲେ।

ତେବେ ଏଠାରେ ଆପଣ ଭାବୁଥିବେ, ମାଛ ପାଇଁ ବିଜୁଳି କାହିଁକି କଟିଲା ? ତା ପୁଣି ଆକାଶରୁ ! ଆକାଶକୁ ମାଛ ଆସିଲା କେଉଁଠୁ ? ପ୍ରକୃତ କଥା ଥିଲା ଏମିତି । ସ୍ଥାନୀୟ ସରକାରୀ ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଗୋଟାଏ ଶିକାରୀ ପକ୍ଷୀ ମାଛଟିକୁ ଧରି ଆକାଶରେ ଉଡିଯାଉଥିବା ବେଳେ ତା ପଞ୍ଝାରୁ ମାଛଟି ଖସି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଉପରେ ପଡ଼ି ଯାଇଥିଲା । ଏହି କାରଣରୁ ଟ୍ରାନ୍ସଫର୍ମର ଫାଟି ଯାଇଥିଲା | ତେଣୁ ସହରର ସେହି ଅଞ୍ଚଳକୁ ବିଜୁଳି ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି ।

‘ଫେସ୍‌ବୁକ୍‌’ ପୋଷ୍ଟ୍‌ରେ ସେରିଭିଲି ପୁଲିସ ଲେଖିଛି ଯେ, ସେରିଭିଲିର ବହୁ ତଳିଆ ଅଞ୍ଚଳରେ ବିଜୁଳି କଟିଯାଇଛି। ଟ୍ରାନ୍ସଫର୍ମର ଉପରୁ ଗୋଟିଏ ମାଛ ମିଳିଛି ଓ ସେହି ମାଛ ଟ୍ରାନ୍ସଫର୍ମରକୁ ନଷ୍ଟ କରି ଦେଇଛି  ।’

ତେବେ ଟ୍ରାନ୍ସଫର୍ମର ଉପରକୁ ମାଛ ଗଲା କେମିତି ? ଟ୍ରାନ୍ସଫର୍ମର ଉପରେ ମାଛ ପକାଇଥିବା ସେ ପକ୍ଷୀଟି ‘ସି ହକ୍‌’ ବା ସମୁଦ୍ର ବାଜ ବୋଲି ସନ୍ଦେହ କରାଯାଉଛି। ସରକାରୀ ଅଧିକାରୀମାନେ ମଜାରେ କହିଛନ୍ତି, ଆକାଶରେ ଉଡ଼ିଯାଉଥିବା ବେଳେ ସେ ପକ୍ଷୀଟି ଠିକ୍‌ ସମୟରେ ଭୁଲ୍‌ ସ୍ଥାନରେ ମାଛଟିକୁ ପକାଇ ଦେଇଛି।

Leave A Reply

Your email address will not be published.