Latest Odisha News

ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇ ନ ଥିବାରୁ ୨୨୭ ଗାଡ଼ିର ଫିଟନେସ୍ ପ୍ରମାଣପତ୍ର ରଦ୍ଦ

କଟକ/ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା କଡ଼ାକଡ଼ି ଏନଫୋର୍ସମେଣ୍ଟ ଜାରି ରହିଛି । ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନକୁ ନେଇ ମାରାଥନ୍ ଏନଫୋର୍ସମେଣ୍ଟ ପରେ ଏବେ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ନ ଲଗାଉଥିବା ବାଣିଜ୍ୟିକ ଗାଡ଼ି ବିରୋଧରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଇଛି । ନିୟମ ଉଲ୍ଲଙ୍ଘନ କରିଥିବା ୨୨୭ ଗାଡ଼ିର ଫିଟନେସ ପ୍ରମାଣପତ୍ର ରଦ୍ଦ କରାଯାଇଛି ।

ଏହି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଗଷ୍ଟ ୧୪ ତାରିଖ ରାତି ୯ରୁ ୧୨ ଓ ଅଗଷ୍ଟ ଭୋର୍ ୪ରୁ ୬ ଯାଏଁ କରାଯାଇଥିଲା । ଆରଟିଓ ମାନଙ୍କ ଦ୍ୱାରା ଗଠିତ ସ୍ନତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ବିଭିନ୍ନ ରାଜପଥରେ ଉଭୟ ମାଲବାହୀ ଓ ଯାତ୍ରୀବାହୀ ଗାଡ଼ି ଗୁଡ଼ିକୁ ଯାଞ୍ଚ କରିଥିଲେ । ଯେଉଁ ଗାଡ଼ି ବି ଏହି ନିୟମ ଉଲ୍ଲଙ୍ଘନ କରିଥିଲେ, ସେମାନଙ୍କ ଫିଟନେସ ରଦ୍ଦ କରାଯାଇଛି ।

ଜଗତସିଂହପୁର ଆରଟିଓ ଦ୍ୱାରା ସର୍ବାଧିକ ୨୭, ଝାରସୁଗୁଡ଼ା ଆରଟିଓରେ ୨୬, ଭୁବନେଶ୍ୱର-୧ ଆରଟିଓ ୧୫, ରାଉରକେଲା ଆରଟିଓ ୧୩, କେନ୍ଦୁଝର ଆରଟିଓ ୧୨, କଟକ ଓ ଚଣ୍ଡିଖୋଲ ଆରଟିଓରେ ୯ଟି ଲେଖାଏଁ, ଭୁବନେଶ୍ୱର-୨ ଆରଟିଓ ୮, ଗଞ୍ଜାମ ଆରଟିଓ ୭, ବଲାଙ୍ଗିର, ତାଳଚେର ଓ କେନ୍ଦ୍ରାପଡ଼ା ଆରଟିଓରେ ୬ ଲେଖାଏଁ, ଭଦ୍ରକ ଓ ସୋନପୁରରେ ୫ ଲେଖାଏଁ ଗାଡ଼ିର ଫିଟନେସ ରଦ୍ଦ କରାଯାଇଛି ।

ସେହିଭଳି ଢେଙ୍କାନାଳ, ଫୁଲବାଣୀ, ନୂଆପଡ଼ା, ବୌଦ୍ଧ, ଯାଜପୁର, ରାୟଗଡ଼ା ଆରଟିଓ ଓ ଖୋର୍ଦ୍ଧା ଏଆରଟିଓରେ ୪ ଲେଖାଏଁ ଗାଡ଼ିର ଫିଟନେସ ରଦ୍ଦ କରାଯାଇଛି । ଫିଟନେସ ପ୍ରମାଣପତ୍ର ରଦ୍ଦ ହୋଇଥିବା ଗାଡ଼ି ଗୁଡ଼ିକରୁ ଅନେକ ଆଦୌ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇ ନ ଥିଲେ ଏବଂ କିଛି ଏହାକୁ ଠିକ୍ ଭାବେ ଲଗାଇ ନ ଥିଲେ । ସେହି ଗାଡ଼ି ଗୁଡ଼ିକ ପୁଣି ଫିଟନେସ ପାଇବାକୁ ନିୟମ ଅନୁଯାୟୀ ଟେପ୍ ଲଗାଇ ଆବେଦନ କରିବାକୁ କୁହାଯାଇଛି ।

ମୋଟର ଯାନ ଆଇନ ଅନୁଯାୟୀ, ସମସ୍ତ ବାଣିଜ୍ୟିକ ଯାନ ଗାଡ଼ିରେ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇବା ବାଧ୍ୟତାମୂଳକ । ଗାଡ଼ିର ପଛପଟେ ନାଲି, ଉଭୟ ପାର୍ଶ୍ୱରେ ହଳଦିଆ ଏବଂ ଆଗରେ ଧଳା ଟେପ୍ ଲଗାଯାଏ । ଏହାଦ୍ୱାରା ଅନ୍ୟ ସଡ଼କ ବ୍ୟବହାରକାରୀ ଗାଡ଼ିକୁ ଅନ୍ଧାର କିମ୍ବା କମ୍ ଆଲୁଅରେ ଦେଖିପାରନ୍ତି । ଯାହା ଦୁର୍ଘଟଣାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ବିଶେଷକରି, ଜାତୀୟ ରାଜପଥରେ ରାତି ଓ ଭୋର୍ ସମୟରେ ଭାରୀଯାନ ଚଲାଉଥିବା ଚାଳକଙ୍କ ପାଇଁ ଅନ୍ୟ ଗାଡ଼ିର ସ୍ଥିତିକୁ ଜାଣିବାରେ ସହାୟକ ହୋଇଥାଏ । ଏହି ନିୟମକୁ କିଭଳି ସମସ୍ତ ଗାଡ଼ି ଠିକ୍ ଭାବରେ ପାଳନ କରିବେ ଏହା ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ଏହାସହ ସଡ଼କ ସୁରକ୍ଷାର ଅନ୍ୟ ନିୟମ ପାଳନ ଯେଭଳି ସୁନିଶ୍ଚିତ ହେବ ଏବଂ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଗୁଡ଼ିକୁ ନିୟନ୍ତ୍ରଣ କରିହେବ ସେଥିପାଇଁ ଏଭଳି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ନିୟମିତ ଭାବରେ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.