ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୋରେନା ସ୍ଥିତ ଏକ ଖାଦ୍ୟ ପ୍ରସ୍ତୁତ କାରଖାନାରେ ଅଘଟଣ । ବିଷାକ୍ତ ଗ୍ୟାସ ଲିକ କାରଣରୁ ଅଣନିଶ୍ୱାସୀ ହୋଇ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପାଇଁ ଫ୍ୟାକ୍ଟ୍ରି ମାଲିକଙ୍କୁ ଦାୟୀ କରି କମ୍ପାନୀ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁସାରେ, ମୋରେନାରେ ଥିବା ସାକ୍ଷୀ ଫୁଡ୍ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି। କୌଣସି କାରଣରୁ କାରଖାନାରେ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ସମୟରେ କାରଖାନାରେ ଶ୍ରମିକମାନେ ମଧ୍ୟ ଥିଲେ। ଦୁଇ ଜଣ ଶ୍ରମିକ ବାହାରେ ଦୁର୍ଗନ୍ଧ ବାରି କାରାଖାନାକୁ ଯାଇଥିଲେ। କିନ୍ତୁ ସେମାନେ ଅସୁସ୍ଥ ହୋଇପଡିଥିଲେ। ଏନେଇ ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୫ଜଣଙ୍କର ମୃତ୍ୟୁ ଘଟିଛି ।
ଖବର ପାଇ ପୁଲିସ ଓ ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିବାବେଳେ କେଉଁ କାରଣରୁ ଗ୍ୟାସ୍ ଲିକ୍ ହୋଇଛି, ତାହା ଜଣାପଡିନି । ସେପଟେ ମୃତକଙ୍କ ସମ୍ପର୍କୀୟମାନେ ଏନେଇ କାରଖାନା ମାଲିକଙ୍କୁ ଦାୟୀ କରିବା ସହ ଉତ୍ତେଜନା ସୃଷ୍ଟି କରିଛନ୍ତି । ସମସ୍ତ ମୃତକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି। ଅନ୍ୟପଟେ ମୃତକଙ୍କ ପରିବାରକୁ ସହାୟତା ଏବଂ ପରିବାରର ଜଣଙ୍କୁ ଚାକିରୀ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
Comments are closed.