Latest Odisha News

BREAKING NEWS

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଉପକୂଳରେ ୫ଟି ତଟରକ୍ଷୀ ବାହିନୀ ଜାହାଜ ସଜାଗ

ଭୁବନେଶ୍ୱର: ଅତି ଭୟଙ୍କର ସାମୁଦ୍ରିକ ଝଡ ଫନୀ ବୁଧବାର ସକାଳ ୫.୩୦ ସୁଦ୍ଧା ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୮୦ କିଲୋମିଟର ଦୂରରେ ଓ ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ପୂର୍ବ ନୌସେନା କମାଣ (ଇଏନସି) ଝଡର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛି । ଆଗାମୀ ୧୨ ଘଂଟା ମଧ୍ୟରେ ଏହି ଝଡ ଉତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ ମେ ୩ ଅପରାହ୍ନରେ ଏହା ଉତର-ଉତର ପୂର୍ବ ମୋଡ ନେଇ ଓଡିଶା ଉପକୂଳକୁ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୭୫-୧୮୫ କିଲୋମିଟର ରହିବାର ସମ୍ଭାବନା ଥିଲାବେଳେ ଏହା ସର୍ବାଧିକ ୨୦୫ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି ।

୨୦୧୯ ଏପ୍ରିଲ ୨୩ରେ ବଙ୍ଗୋପସାଗରରେ ଝଡର ପ୍ରାଥମିକ ଆଭାସ ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଥିଲା ଏବଂ ସମୁଦ୍ରରେ ଜୀବନ ରକ୍ଷା ନିଶ୍ଚିତ କରିବା ପାଇଁ ଓଖି ଝଡରୁ ଲାଭ କରିଥିବା ଶିକ୍ଷାର ପ୍ରୟୋଗ କରିଥିଲା । ଅତି ଭୟଙ୍କର ସାମୁଦ୍ରିକ ଝଡ ଫନୀ ଏବେ ବିଶାଖାପାଟଣାରୁ ୨୬୦ ମାଇଲ ଦୂର ଦକ୍ଷିଣ ପୂର୍ବରେ ରହିଛି ଏବଂ ୨୦୧୯ ମେ ୩ରେ ଓଡିଶା ଉପକୂଳକୁ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ଦେଇ ଅତିକ୍ରମ କରିବାର ସମ୍ମାବନା ରହିଛି ।

୨୦୧୯ ଏପ୍ରିଲରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ସାମୁଦ୍ରିକ ଝଡ ସୃଷ୍ଟି ହେବାର ସୂଚନା ପାଇବା ମାତ୍ରେ ମତ୍ସ୍ୟଜୀବିମାନଙ୍କର ଜୀବନ ବଂଚାଇବା ଲାଗି ଭାରତୀୟ ତଟରକ୍ଷୀ ବାହିନୀ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଆଇସିଜିମାନଙ୍କୁ ହାଇ ଆଲର୍ଟ ଓ ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଥିଲା । ସାବଧାନତାମୂଳକ ପଦକ୍ଷେପ ଗ୍ରହଣ କରିବା ନେଇ ଅଧିକାରୀ ଓ ଆଂଚଳିକ ପ୍ରଶାସନକୁ ୨୩ ତାରିଖରୁ ସତର୍କ କରାଯାଇଥିଲା । ପ୍ରଭାବିତ ଅଂଚଳରେ ବ୍ୟାପକ ଭାବେ ସାବଧାନତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଶାସନ, ବିଭିନ୍ନ ବିଭାଗ ଓ ଭାରତୀୟ ପାଣିପାଗ ବିଭାଗ ସହ ନିୟମିତ ଭାବେ ଯୋଗାଯୋଗ ରକ୍ଷା କରାଯାଇଛି । ଓଡିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟକାରୀ ଷ୍ଟେସନଗୁଡ଼ିକ ରେଡିଓରେ ବିଭିନ୍ନ ଆଂଚଳିକ ଭାଷା ମାଧ୍ୟମରେ ସୁରକ୍ଷା ବାର୍ତା ପ୍ରସାରଣ କରୁଛନ୍ତି । ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବିମାନଙ୍କୁ ଫେରିଆସିବା ନେଇ ଆଂଚଳିକ ଭାଷାରେ ସତର୍କ କରିବା ପାଇଁ ପୂର୍ବ ଉପକୂଳରେ ୨୪ ତାରିଖଠାରୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଏବଂ ବାୟୁଯାନମାନଙ୍କୁ ମୁତୟନ କରାଯାଇଥିଲା । ପାଖ ବନ୍ଦରକୁ ଫେରିଆସିବା ନେଇ ମତ୍ସ୍ୟଜୀବିମାନଙ୍କୁ ସତର୍କ କରିବା ପାଇଁ ଏବଂ ଆବଶ୍ୟକ ସ୍ଥଳେ ସହାୟତା ପ୍ରଦାନ କରିବା ପାଇଁ ୨୪ ତାରିଖ ଦିନ ଚେନ୍ନାଇ ଓ ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ଯୋଗାଯୋଗ କେନ୍ଦ୍ରମାନଙ୍କ ଦ୍ୱାରା ବଙ୍ଗୋପସାଗରରେ ଆନ୍ତର୍ଜାତିକ ସୁରକ୍ଷା ନେଟକୁ କାର୍ଯ୍ୟକ୍ଷମ କରାଯାଇଥିଲା ଏବଂ ଏହା ଏପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଦିନଠାରୁ ଟ୍ରାନ୍ସମିଶନ ଅଫ ନାଭିଗେସନାଲ ଟେଲେକ୍ସ (ନାଭଟେକ୍ସ) ଦ୍ୱାରା ସତର୍କ ସୂଚନା ପ୍ରଦାନ ଆରମ୍ଭ ହୋଇଛି । ଚେନ୍ନାଇଠାରେ ୨୪ ତାରିଖ ଦିନ ଏବଂ କୋଲକାତାଠାରେ ୩୦ ତାରିଖ ଦିନ ମୁଖ୍ୟ ସଚିବମାନଙ୍କ ଦ୍ୱାରା ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଛି । ଆଇସିଜିର ପ୍ରତିନିଧିମାନେ ଏହି ବୈଠକରେ ଭାଗ ନେଇଥିଲେ ।

ରାଜ୍ୟ ପ୍ରଶାସନ ସହିତ ଯୋଗାଯୋଗ କରି ଉଦ୍ଧାର ଏବଂ ପ୍ରଶମନ କାର୍ଯ୍ୟରେ ସହାୟତା କରିବା ପାଇଁ ଓଡିଶା ଓ ପଶ୍ଚିମବଙ୍ଗ ତଟରେ ୫ଟି ଜାହାଜ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ତଟରେ ୯ଟି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ପ୍ରସ୍ତୁତ ହୋଇ ରହିଛନ୍ତି । ସମୁଦ୍ର ମଧ୍ୟକୁ କୌଣସି ମତ୍ସ୍ୟଜୀବିଙ୍କ ଡଙ୍ଗା ଯେପରି ନଯାଏ ସେଥିପାଇଁ ଆଇସିଜି ମତ୍ସ୍ୟ ଅଧିକାରୀମାନଙ୍କ ସହ ଯୋଗାଯୋଗ କରି କାର୍ଯ୍ୟ କରୁଛି । ଆହୁରି ମଧ୍ୟ ସମୁଦ୍ର ଭିତରେ ଆଇସିଜି ଜାହାଜ ଗୁଡ଼ିକ ସତର୍କ ଦୃଷ୍ଟି ରଖିଛନ୍ତି ଯେ ସମୁଦ୍ର ଭିତରେ ରହିଥିବା ମତ୍ସ୍ୟଜୀବିଙ୍କ ଡଙ୍ଗା ଯେପରି କୂଳକୁ ଫେରିଯାଏ । ଟୁଟିକୋରିନ, ପମ୍ବନ, ଭିଲ୍ଲୁପୁରମ, ଚେନ୍ନାଇ, କ୍ରିଷ୍ଣପାଟଣା, ନିଜାମପାଟଣା, ବିଶାଖାପାଟଣା, ଉପ୍ପାଲାଣକା (କାକ୍କିନାଡା), ପାରାଦ୍ୱୀପ, ହଳଦିଆ, ଗୋପାଳପୁର ଏବଂ ଫ୍ରାଜେରଗୁଞ୍ଜଠାରେ ମତ୍ସ୍ୟଜୀବି ଓ ଉପକୂଳବର୍ତୀ ବାସିନ୍ଦାମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଅତ୍ୟାବଶ୍ୟକୀୟ ରିଲିଫ ସହାୟତା, ଉଦ୍ଧାର ଏବଂ ମାନବୀୟ ସହାୟତା କାର୍ଯ୍ୟ ଲାଗି ରିଲିଫ ସାମଗ୍ରୀ ସହିତ ବିଶାଖାପାଟଣାରେ ଜାହାଜ ପ୍ରସ୍ତୁତ ହୋଇ ରହିଛି । ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ଉଦ୍ଧାର ଏବଂ ରିଲିଫ ସହାୟତା କାର୍ଯ୍ୟ ଲାଗି ବୁଡାଳୀ ଏବଂ ଚିକିତ୍ସା ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି ।

ରାଜ୍ୟ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଧିକାଂଶ ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ସର୍ଭେକ୍ଷଣ, ଜରୁରୀ ଉଦ୍ଧାର କାର୍ଯ୍ୟ ଏବଂ ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକେଇବା ପାଇଁ ଆଇଏନଏସ ଦେଗା ଓ ଆଇଏନଏସ ରାଜାଲି ନୌସେନା ବାୟୁଯାନକୁ ପ୍ରସ୍ତୁତ କରି ରଖାଯାଇଛି ।

Leave A Reply

Your email address will not be published.