ନେତାନ୍ୟାହୁଙ୍କୁ କ୍ଷମତାଚ୍ୟୁତ କରିବାକୁ ଏକାଠି ହେଲେ ଇସ୍ରାଏଲର ୫ ବିରୋଧୀ ନେତା; କହିଲେ- ସରକାର ଗଠନ ‘ସର୍ବୋଚ୍ଚ ପ୍ରାଥମିକତା’
ତେଲ୍ ଅଭିଭ୍: ଇସ୍ରାଏଲ ରାଜନୀତିରେ ଏବେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କ୍ଷମତାରୁ ହଟାଇବା ପାଇଁ ଇସ୍ରାଏଲର ପାଞ୍ଚ ଜଣ ପ୍ରମୁଖ ବିରୋଧୀ ଦଳର ନେତା ଏକାଠି ହୋଇଛନ୍ତି। ଅକ୍ଟୋବର ୨୭ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କୌଣସି ଦଳ ବା ମେଣ୍ଟକୁ ସ୍ପଷ୍ଟ ବହୁମତ ନ ମିଳିବା ପରେ, ବିରୋଧୀ ଶିବିର ପକ୍ଷରୁ ଏହି ରଣନୈତିକ ପଦକ୍ଷେପ ନିଆଯାଇଛି।
ତେଲ୍ ଅଭିଭ୍ର ଉତ୍ତରରେ ଥିବା ହର୍ଜଲିଆ ସହରରେ ଏହି ପାଞ୍ଚ ବିରୋଧୀ ନେତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଜାରି କରାଯାଇଥିବା ଏକ ମିଳିତ ବିବୃତ୍ତିରେ ସେମାନେ ନେତାନ୍ୟାହୁଙ୍କ ସରକାରକୁ ହଟାଇବା ଏବଂ ଖୁବ୍ ଶୀଘ୍ର ଏକ ନୂତନ ସରକାର ଗଠନ କରିବା ସେମାନଙ୍କର ‘ସର୍ବୋଚ୍ଚ ପ୍ରାଥମିକତା’ ବୋଲି ଘୋଷଣା କରିଛନ୍ତି। ଏହି ବିରୋଧୀ ମେଣ୍ଟ ପୂର୍ବତନ ସେନାମୁଖ୍ୟ ଗାଦି ଆଇଜେନକୋଟଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ ଜଣାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ ମଧ୍ୟ ସମୟ ନଷ୍ଟ ନ କରି ତୁରନ୍ତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ଆଇଜେନକୋଟଙ୍କୁ ନିଜର ସମର୍ଥନ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ୧୨୦ ଆସନ ବିଶିଷ୍ଟ ଇସ୍ରାଏଲ ସଂସଦ (ନେସେଟ୍)ରେ ସରକାର ଗଠନ ପାଇଁ ୬୧ ଆସନର ଆବଶ୍ୟକତା ରହିଛି। ନେତାନ୍ୟାହୁଙ୍କ ମେଣ୍ଟକୁ ୫୩ଟି ଆସନ ମିଳିଥିବା ବେଳେ ବିରୋଧୀ ମେଣ୍ଟ ଖାତାରେ ୪୮ଟି ଆସନ ରହିଛି। ଏଭଳି ସ୍ଥିତିରେ ବହୁମତ ସାବ୍ୟସ୍ତ କରିବା ପାଇଁ ଆରବ ଦଳଗୁଡ଼ିକର ସମର୍ଥନ ଅତ୍ୟନ୍ତ ନିର୍ଣ୍ଣାୟକ ହୋଇପଡ଼ିଛି। ତେବେ ଆରବ ଦଳଗୁଡ଼ିକ ସହ ମେଣ୍ଟ କରିବା ନେଇ ବିରୋଧୀ ନେତାମାନଙ୍କ ମଧ୍ୟରେ ଏବେ ବି ମତଭେଦ ଲାଗି ରହିଛି। ଯଦି ଏହି ମେଣ୍ଟ ସରକାର ଗଠନ କରିବାରେ ବିଫଳ ହୁଏ, ତେବେ ଇସ୍ରାଏଲ ପୁଣିଥରେ ଆଉ ଏକ ନିର୍ବାଚନର ସମ୍ମୁଖୀନ ହୋଇପାରେ।
