Latest Odisha News

BREAKING NEWS

ପୁଣି ଦବିଲା ମାଟି…୫୦ ଫୁଟ୍‌ ଗଭୀରର ଗର୍ତ୍ତ ସୃଷ୍ଟି;ଭୟଭୀତ ହାଣ୍ଡିଧୁଆବାସୀ

ତାଳଚେର:ଅନୁଗୋଳ ଜିଲ୍ଲା ତାଳଚେର ହାଣ୍ଡିଧୁଆ ଅଞ୍ଚଳରେ ଗତକାଲି ରାତିରେ ପୁଣି ମାଟି ଧସି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରାୟ ୨୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀରର ଏହି ଗର୍ତ୍ତକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି।

ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଖଣି ଅଞ୍ଚଳର ଭୂଗର୍ଭ ସୁରକ୍ଷା ଓ ଜନସାଧାରଣଙ୍କ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି ।

ହାଣ୍ଡିଧୁଆ ଅଞ୍ଚଳରେ ପୂର୍ବରୁ ମାଟି ଧସିଥିବା ଏକ ଜମିର ସେହି ସ୍ଥାନରେ ହଠାତ୍ ପୁଣି ମାଟି ଧସିଯାଇଛି । ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ।ଘଟଣାସ୍ଥଳରେ ଖଣି କର୍ତ୍ତୃପକ୍ଷ ପହଞ୍ଚି ଧସିଥିବା ସ୍ଥାନକୁ ବ୍ୟାରିକେଡ୍‌ କରି ଆବଦ୍ଧ କରିଛନ୍ତି।

ଏ ସମ୍ପର୍କରେ ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞାନନନ୍ଦ ଗିରି କହିଛନ୍ତି, ହାଣ୍ଡିଧୁଆ ଭୂତଳ କୋଇଲା ଖଣି ବହୁ ପୁରୁଣା । ଏହି ଅଞ୍ଚଳରେ ମାଟି ଧସିବା ଘଟଣା ସମ୍ପର୍କରେ ପ୍ରଶାସନ ଅବଗତ ଅଛି । ଧାନବାଦରୁ ଏକ ବିଶେଷଜ୍ଞ ଦଳ ଆସି ଏହାର ଅନୁଧ୍ୟାନ କରୁଛି । ବାରମ୍ବାର ମାଟି ଧସିବାର କାରଣ ଖୋଜିବା ଏବଂ ଏହାର ବୈଜ୍ଞାନିକ ଅନୁସନ୍ଧାନ ଚାଲିଥିବା ସେ ସୂଚନା ଦେଇଛନ୍ତି ।

ତାଳଚେରରେ ଭୂଗର୍ଭ କୋଇଲା ଖନନ ପରେ ମାଟି ଦବିବା ଘଟଣା ନୂଆ ନୁହେଁ । ପୂର୍ବରୁ ଦେଉଳବେଡ଼ା, ବାଘୁଆବାଲ ଓ ତାଳଚେର ଥାନା ସମ୍ମୁଖ ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଘଟିଛି ।

ଏବେ ପୁଣି ହାଣ୍ଡିଧୁଆରେ ବିରାଟ ଗର୍ତ୍ତ ସୃଷ୍ଟି ହେବାପରେ ଏହାର ପ୍ରକୃତ କାରଣ ନିର୍ଣ୍ଣୟ ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ସ୍ଥାନୀୟ ବାସିନ୍ଦା ଅପେକ୍ଷା କରିଛନ୍ତି।

Comments are closed.