Latest Odisha News

ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ, ହାଇଦ୍ରାବାଦ ସମେତ ଅନ୍ୟ ବିମାନବନ୍ଦରରେ ବିମାନ ସେବା ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ଆଖପାଖ ଅଞ୍ଚଳ ରେ ବର୍ତ୍ତମାନ ଶୀତ ଓ ବହୁ ମାତ୍ରାରେ କୁହୁଡି କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାସ୍ତା ଘାଟରେ ମଧ୍ୟ ଗାଡି ଚଳାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଏହାରି ମଧ୍ୟରେ କୁହୁଡି କାରଣରୁ ଅନେକ ସମୟରେ ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହେଉଥିବାବେଳେ, ଆଜି ମଧ୍ୟ ପୁଣି ଏଥିପାଇଁ ହଇରାଣ ହୋଇଛନ୍ତି ଯାତ୍ରୀ ।

ସୂଚନା ମୁତାବକ, ଖରାପ ପାଗ ଯୋଗୁଁ ଆଜି ସକାଳ ୬ ଟା ରୁ ୯ ଟା ମଧ୍ୟରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୭ ଟି ବିମାନ କୁ ତାର ଗନ୍ତବ୍ୟସ୍ଥଳ ବଦଳାଇ ଜୟପୁର ଅଭିମୁଖେ ଯିବାକୁ ପଡିଥିଲା । ସେହିପରି ଆଉ ଗୋଟିଏ ବିମାନ କୁ ମଧ୍ୟ ତାର ଗତିପଥ ବଦଳାଇ ଅହମ୍ମଦାବାଦ ଦେଇ ଯିବାକୁ ପଡିଥିଲା ।

ବିମାନସେବା ବାଧାପ୍ରାପ୍ତ ହେତୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ସୋସିଆଲ ମିଡିଆରେ ବିଳମ୍ବ ଏବଂ ବ୍ୟାଘାତ ସମ୍ପର୍କରେ ଯାତ୍ରୀମାନେ ଅଭିଯୋଗ କରିଥିବାବେଳେ ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ସମେତ ଅନ୍ୟ ବିମାନ ସେବା ପାଗ ଖରାପ ଥିବା ବିଷୟରେ ଯାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ସମୟରେ, ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରାଯାଇ ନିଜ ନିଜ ବିମାନ ସେବା ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଅନ୍ୟପଟେ, ଖରାପ ପାଣିପାଗ ଯୋଗୁଁ ହାଇଦ୍ରାବାଦରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ବେଙ୍ଗାଲୁରୁ ଓ ମୁମ୍ବାଇରୁ ହାଇଦ୍ରାବାଦ ଉଡ଼ାଣ କରିଥିବା ୨ ବିମାନ ଅବତରଣ କରିବା ପରିବର୍ତ୍ତେ ଫେରିଯାଇଛନ୍ତି । ୯ ଟା ୪୦ ରେ ଏହି ଦୁଇ ବିମାନ ବେଙ୍ଗାଲୁରୁ ଓ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛି । ଏନେଇ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.