ଭଦ୍ରକ: ଅବିଶ୍ରାନ୍ତ ବର୍ଷାରେ ଉତ୍ତର ଓଡ଼ିଶା ଜଳାର୍ଣ୍ଣବ। ବୈତରଣୀରେ ଆସିଛି ବଡ଼ ବନ୍ୟା। ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ଓ ସାଳନ୍ଦୀ ନଦୀ। ସାଳନ୍ଦୀ ନଦୀରେ ସକାଳ ୬ଟା ସୁଦ୍ଧା ୧୮.୭୦ଫୁଟ ବନ୍ୟାଜଳ ପ୍ରବାହିତ। ସାଳନ୍ଦୀ ନଦୀରେ ବିପଦ ସଂକେତ ରହିଛି ୧୭ଫୁଟ। ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଂକେତ ୧୮.୩୩ ମିଟର। ସକାଳ ୬ଟା ସୁଦ୍ଧା ବୈତରଣୀରେ ୨୦.୩୨ମି. ବନ୍ୟାଜଳ ପ୍ରବାହିତ। ସେହିପରି ବୁଢ଼ାବଳଙ୍ଗ, ଜଳକା ପାଣିରେ ଉବୁଟୁବୁ।
ତଳିଆ ଅଞ୍ଚଳରେ ବନ୍ୟାପାଣି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକର ୯୫ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୮୧ହଜାର ୯୬୪ ଜଣ ଲୋକ ଏହି ବନ୍ୟାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜଳକା ଏବଂ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଉପରମୁଣ୍ଡ କେନ୍ଦୁଝର ଗୋନାସିକାରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ଆଜି ଭୟଙ୍କର ରୂପ ଧାରଣ କରିଛି ।
ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଏବଂ ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଓ ବିଂଝାରପୁର ଏବଂ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ମୁତାବକ ବୈତରଣୀର ସତର୍କତା ସ୍ତର ଆଖୁଆପଦାରେ ୨୦.୨୬ ମିଟର ଛୁଇଁଛି। ଫଳରେ ଭଣ୍ଡାରିପୋଖରୀ ଏବଂ ଯାଜପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। କେନ୍ଦୁଝର ଆନନ୍ଦପୁରଠାରେ ବୈତରଣୀ ଜଳସ୍ତର ୩୯.୩୮୦ ମିଟରରେ ପହଞ୍ଚିଛି ।
ଛାତ୍ରଛାତ୍ରୀଙ୍କ ଯାତାୟାତରେ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅଙ୍ଗନବାଡି, ସ୍କୁଲ, କଲେଜ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସଜାଗ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।