ଫୁଲବାଣୀ: ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ। କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସେବା ଓ ଅବଦାନକୁ ସମ୍ମାନ ଜଣାଇବା ପାଇଁ ରାଜ୍ୟ ସରକାର ଏକାଧିକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ ହୋଇଛି କଲେଜ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବାର ଦିନକ ପରେ ଏହାର ନାଁ ବଦଳିଛି । ଏଣିକି ତାହା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଫୁଲବାଣୀଭାବେ ପରିଗଣିତ ହେବ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସୃତିକୁ ଉଜ୍ଜୀବିତ ରଖିବା ଓ କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଘୋଷଣା କରିଥିଲେ । ଜଲେଶପଟ୍ଟାରେ ଥିବା ସ୍ବାମୀଜୀଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସିଏମ୍ଏସ୍ଏ ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର ହୋଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳ ସମେତ ରାଜ୍ୟର ଜନଜାତି ସମାଜର ଶିକ୍ଷା, ସାମାଜିକ ସଚେତନତା ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ତାଙ୍କ ଆଦର୍ଶ ଓ ତ୍ୟାଗକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସହ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସବୁ ପଦକ୍ଷେପ ନିଆଯାଇଛି ।” ରାଜ୍ୟ ସରକାରଙ୍କ ଏହି ଘୋଷଣା କନ୍ଧମାଳ ଜିଲ୍ଲାରେ ଶିକ୍ଷା, ଭିତ୍ତିଭୂମି ବିକାଶ ଏବଂ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି ।

Comments are closed.