Latest Odisha News

BREAKING NEWS

୫୫ କୋଟି ଟଙ୍କାର ଋଣ ଭାର, ନିଲାମ ହେବାକୁ ବସିଥିଲା ବଙ୍ଗଳା: ଖରାପ ସମୟର ସ୍ମୃତି ବଖାଣିଲେ ‘ଗଦ୍ଦର ୨’ ଷ୍ଟାର

ମୁମ୍ବାଇ: ୨୦୨୩ ମସିହାରେ ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଥିବା ବ୍ଲକବଷ୍ଟର ଫିଲ୍ମ ‘ଗଦ୍ଦର ୨’ ଜରିଆରେ ବଲିଉଡରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିବା ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ଏବେ ନିଜର ଅତୀତର ଆର୍ଥିକ ସଂଘର୍ଷକୁ ନେଇ ମୁହଁ ଖୋଲିଛନ୍ତି। ନିକଟରେ ଜଣାଶୁଣା ୟୁଟ୍ୟୁବର ତଥା ସାମ୍ବାଦିକ ଶୁଭଙ୍କର ମିଶ୍ରଙ୍କ ସହ ପୋଡକାଷ୍ଟରେ ସନ୍ନି ନିଜ କ୍ୟାରିୟରର ଖରାପ ସମୟ, କାମର ଅଭାବ ଏବଂ ପ୍ରାୟ ୫୫.୯୯ କୋଟି ଟଙ୍କାର ବିପୁଳ ଋଣ ଭାର ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଘାୟଲ୍ ୱାନ୍ସ ଏଗେନ୍’ ସମୟରେ ସେ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇଥିଲେ। କିନ୍ତୁ କ୍ରମାଗତ ଫ୍ଲପ୍ ଫିଲ୍ମ ଯୋଗୁଁ ଠିକ୍ ସମୟରେ ଏହାକୁ ସୁଝି ନପାରିବାରୁ ପରିସ୍ଥିତି ଖରାପ ଆଡ଼କୁ ଗତି କରିଥିଲା। ଏପରିକି ‘ଗଦ୍ଦର ୨’ ରିଲିଜ୍ ହେବା ସମୟରେ ବ୍ୟାଙ୍କ ଅଫ୍ ବରୋଦା ତାଙ୍କର ୫୫.୯୯ କୋଟି ଟଙ୍କାର ବକେୟା ଆଦାୟ ପାଇଁ ଜୁହୁ ସ୍ଥିତ ଆଲିସାନ୍ ବଙ୍ଗଳାକୁ ନିଲାମ କରିବାକୁ ଇ-ଅକ୍ସନ୍ ନୋଟିସ୍ ଜାରି କରିଥିଲା। ପରେ ବୈଷୟିକ କାରଣ ଦର୍ଶାଇ ବ୍ୟାଙ୍କ ଏହି ନୋଟିସ୍ ପ୍ରତ୍ୟାହାର କରିଥିଲା ଏବଂ ସନ୍ନିଙ୍କ ଟିମ୍ ଏହି ଋଣ ସଫଳତାର ସହ ପରିଶୋଧ କରିଥିଲେ।

ଏହି କଠିନ ସମୟ ଏବଂ ଋଣ ଭାର ବିଷୟରେ ସନ୍ନି ସ୍ପଷ୍ଟ ଭାବରେ କହିଛନ୍ତି, “ମୁଁ କେବଳ ଟଙ୍କା ପାଇଁ ସବୁକିଛି କରିପାରିବି ନାହିଁ। ସତ କହିବାକୁ ଗଲେ, ଋଣରେ ବୁଡ଼ି ରହିଥିଲେ ମଧ୍ୟ ମୁଁ ବହୁତ ଖୁସି ଥିଲି ଏବଂ ମୋ ଜୀବନକୁ ଉପଭୋଗ କରୁଥିଲି। ମୁଁ କାହାଠାରୁ ଧାର ଆଣି ନଥିଲି କି କାହାରିକୁ ଠକି ନଥିଲି। ମୁଁ କେବଳ ମୋର ନିଜର ସମ୍ପତ୍ତି ବିକ୍ରି କରି ବ୍ୟାଙ୍କରୁ ଆଣିଥିବା ଟଙ୍କା ଫେରାଇ ଦେଇଥିଲି।” ଫିଲ୍ମର ଅଭାବ ସତ୍ତ୍ୱେ କେବଳ ପଇସା କମାଇବା କିମ୍ବା ଲାଇମଲାଇଟ୍‌ରେ ରହିବା ପାଇଁ ସେ କେବେହେଲେ କୌଣସି ସାର୍ବଜନୀନ ଇଭେଣ୍ଟରେ ଯୋଗ ଦେଉନଥିଲେ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ତେବେ ‘ଗଦ୍ଦର ୨’ର ଅପାର ସଫଳତା ପରେ ସନ୍ନି ଦେଓଲଙ୍କ କ୍ୟାରିୟର ପୁଣି ଥରେ ନୂଆ ମୋଡ଼ ନେଇଛି ଏବଂ ତାଙ୍କ ହାତରେ ଏବେ ଫିଲ୍ମର ଲମ୍ବା ଧାଡ଼ି ଲାଗିଛି। ନିକଟରେ ସେ ଆମିର ଖାନଙ୍କ ପ୍ରଯୋଜିତ ଏବଂ ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ଲାହୋର ୧୯୪୭’ରେ ନିଜର ସୁଟିଂ ଶେଷ କରିଛନ୍ତି । ଏହାସହ ନେଟଫ୍ଲିକ୍ସର ଫିଲ୍ମ ‘ଇକ୍କା’ ଜରିଆରେ ସେ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ପାଦ ଥାପିଛନ୍ତି। ଆଗକୁ ତାଙ୍କର ଅନେକ ବଡ଼ ବଜେଟର ପ୍ରୋଜେକ୍ଟ ଆସିବାକୁ ଯାଉଛି। ନିତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ ୧’ରେ ସେ ପ୍ରଭୁ ହନୁମାନଙ୍କ ଭୂମିକାରେ ନଜର ଆସିବେ ।

ଏହାବ୍ୟତୀତ ‘ସଫର’, ‘ଜାଟ୍ ୨’, ‘ଗଦ୍ଦର ୩’ ଏବଂ ଆକ୍ସନ ଥ୍ରୀଲର ‘ଆଣ୍ଟୋନି’ ଭଳି ଦମଦାର ଫିଲ୍ମରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

Leave A Reply

Your email address will not be published.