Latest Odisha News

ବନ୍ୟା ଜଳରେ ଭାସୁଛି ଆସାମ, ୧୧ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି: ଆସାମରେ ଜଳ ପ୍ରଳୟ । ବନ୍ୟା ଯୋଗୁଁ ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ୪ ଜଣଙ୍କ ଜୀବନ ଯାଇଛି । ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଧସିବାରେ ଲାଗିଛି ମାଟି ଅତଡ଼ା । ବନ୍ୟାରେ ଆସାମର ୨୫ ଜିଲ୍ଲାର ୧୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବଜଲି ଜିଲ୍ଲା ବନ୍ୟାରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବ୍ରହ୍ମପୁତ୍ର ଓ ଗୌରାଙ୍ଗ ନଦୀର ଜଳସ୍ତର ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

୧୯୭୮୨.୮୦ ହେକ୍ଟର ଜମିରେ ବନ୍ୟା ଜଳ ମାଡ଼ିଯାଇ ଚାଷ କ୍ଷତିଗ୍ରସ୍ତ ହୋଇଛି । ଏବେବି ୧୫୧୦ଟି ଗାଁ ବନ୍ୟା ଜଳ ଘେରରେ ବୁଡ଼ି ରହିଛି । ଆସାମର ରାଜଧାନୀ ଗୌହାଟିର ଅଧିକାଂଶ ଅଞ୍ଚଳ ୩ ଦିନ ହେଲା ଜଳମଗ୍ନ ହୋଇ ରହିଥିବା ବେଳେ ମାଟି ଅତଡ଼ା ଧସି ୩ ଜଣ ଆହତ ହୋଇଛନ୍ତି । ବକ୍ସା ଜିଲ୍ଲାରେ ବନ୍ୟା ଜଳରେ ପୋଲର କିଛି ଅଂଶ ଧୋଇ ହୋଇଯାଇଛି ।

ଟ୍ରେନ୍ ଟ୍ରାକ୍ ବନ୍ୟା ପାଣିରେ ବୁଡ଼ି ରହିଛି । ଫଳରେ ୬ଟି ଟ୍ରେନକୁ ବାତିଲ୍ କରାଯାଇଛି । ଆସାମ ସହ ପ୍ରବଳ ବର୍ଷାରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁ ମେଘାଳୟରେ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବନ୍ଦ କରାଯାଇଛି ।

Comments are closed.