Latest Odisha News

BREAKING NEWS

ସୁଧୁରୁଛି ବୈତରଣୀ ବନ୍ୟା ପରିସ୍ଥିତି, ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ ଜାରି

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ଧରି ଚାଲିଥିବା ଲଗାଣ ବର୍ଷା ଥମିଛି । ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ଯୋଗୁଁ ଉପୁଜିଥିବା ବନ୍ୟା ପରିସ୍ଥିତି କ୍ରମେ ସୁଧୁରିବାରେ ଲାଗିଛି । କହିବାକୁ ଗଲେ ବନ୍ୟା ପରିସ୍ଥିତି ଏକପ୍ରକାର ନିୟନ୍ତ୍ରଣାଧିନ ରହିଛି । ତେବେ ବନ୍ୟାଜଳ ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରଶାସନ ପକ୍ଷରୁ ପରିସ୍ଥିତିର ମୁକାବିଲା କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବୈତରଣୀରେ ବନ୍ୟାଜଳ ବିଭିନ୍ନ ଜିଲ୍ଲାରେ ଉଚ୍ଛୁଳିବା ଯୋଗୁଁ ଏକ ପ୍ରକାର ବନ୍ୟା ପରିସ୍ଥିତିର ଆଶଙ୍କା ସୃଷ୍ଟି ହୋଇଥିଲା । ବୈତରଣୀ ପ୍ରବାହିତ ହେଉଥିବା ଯାଜପୁର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ପ୍ରଭାବିତ ହୋଇଥିଲେ ମଧ୍ୟ ଆଜି ପରିସ୍ଥିତି ଏକରକମ ସନ୍ତୋଷଜନକ ରହିଛି । ଏହିସବୁ ପ୍ରଭାବିତ ଜିଲ୍ଲାମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

ରାଜ୍ୟ ସରକାରଙ୍କ ତରଫରୁ ଏହିସବୁ ପ୍ରଭାବିତ ଜିଲ୍ଲାମାନଙ୍କରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି କଡ୍ଡା ନିର୍ଦ୍ଦେଶ ଦିଆଯାଇଛି । ବୈତରଣୀ ନଦୀର ପ୍ରଭାବିତ ଜିଲ୍ଲାମାନଙ୍କରେ ଓଡ୍ରାଫ ଟିମ୍, ଏନ.ଡ଼ି.ଆର.ଏଫ ଟିମକୁ ସବୁବେଳେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହିସବୁ ଜିଲ୍ଲାମାନଙ୍କରେ ସମସ୍ତ ଜିଲ୍ଲାପାଳମାନେ ପରିସ୍ଥିତି ପ୍ରତି ସତର୍କ ରହି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଯନ୍ତ୍ରଚାଳିତ ବୋଟ ସହିତ ସାଧାରଣ ବୋଟର ସୁବ୍ୟବସ୍ଥା କରିଛନ୍ତି । ଭଦ୍ରକ ଜିଲ୍ଲାରେ ୨୦ଟି ବୋଟ୍ ସଜାଗ ରହିଛି । ଏହିସବୁ ଜିଲ୍ଲାରେ ୪୪ଟି ବାତ୍ୟା କେନ୍ଦ୍ରରେ ରନ୍ଧାଖାଦ୍ୟ, ପାନୀୟଜଳ, ଉଠା ପାଇଖାନା ସହିତ ମେଡ଼ିକାଲ ସାମଗ୍ରୀ ଗଚ୍ଛିତ ରଖିଛନ୍ତି । ପ୍ରଭାବିତ ହୋଇଥିବା ସମସ୍ତ ୧୪ଟି ବ୍ଲକରେ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଧାମନଗର, ତିହିଡ଼ି ଓ ସଦର ଭଦ୍ରକ ବ୍ଲକର ୩୮ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟାଜଳ ଯୋଗୁଁ ୧୨୨ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୮୪୯୫ ଲୋକଙ୍କୁ ଆବଶ୍ୟକୀୟ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ।

ଯାଜପୁର ଜିଲ୍ଲାର ଦଶରଥପୁର, ବିଂଝାରପୁର ଓ କୋରେଇ ବ୍ଲକ ଅଧିକ ପ୍ରଭାବିତ ହୋଇଛି । ଜିଲ୍ଲାରେ ମୋଟ ୩୭ଟି ପଞ୍ଚାୟତର ମୋଟ ୬୯ଟି ଗ୍ରାମ ପ୍ରଭାବିତ । ଏଠାରେ ୩୮୬୦ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରୀତ କରାଯାଇଛି । ଜିଲ୍ଲାର ବିଭିନ୍ନ ପ୍ରଭାବିତ ସ୍ଥାନମାନଙ୍କରେ ୩୦ଟି ଅସ୍ଥାୟୀ ରନ୍ଧନଶାଳା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବିଂଝାରପୁର ବ୍ଳକର ୨୬ଟି, ଦଶରଥପୁରରେ ୩ଟି ଓ ଯାଜପୁର ମ୍ୟୁନିସିପାଲଟି ଅଞ୍ଚଳରେ ୧ଟି ସ୍ଥାନରେ ମାଗଣାରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରି ପ୍ରଭାବିତଙ୍କୁ ବଣ୍ଟନ କରାଯାଇଛି । ସମସ୍ତ ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ ଟିମ ଓ ଏନ.ଡ଼ି.ଆର.ଏଫ ଟିମ ସଜାଗ ରହି ପରିସ୍ଥିତିର ମୁକାବିଲା କରୁଛନ୍ତି ।

ସେହିପରି ବୈତରଣୀରେ ବନ୍ୟାଜଳ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ ପ୍ରଭାବିତ ହୋଇଛି । ଜିଲ୍ଲାର ୩୦ଟି ସ୍ଥାନରେ ରିଲିଫ କ୍ୟାମ୍ପ ସ୍ଥାପନ କରାଯାଇଛି । ଜିଲ୍ଲାରେ ୩ ହଜାର ପଲିଥିନ ସିଟ୍ ମଧ୍ୟ ବଣ୍ଟନ କରାଯାଇସାରିଛି ।

Leave A Reply

Your email address will not be published.