Latest Odisha News

BREAKING NEWS

ମହାନଦୀରେ ମାଡ଼ି ଆସୁଛି ବନ୍ୟା: ସ୍ଥିତି ଗମ୍ଭୀର, ମୁଣ୍ଡଳୀରେ ପହଞ୍ଚିପାରେ ୯.୫ ଲକ୍ଷ କ୍ୟୁସେକ୍ ଜଳ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଓଡିଶା। ପାଣି ଘେରରେ ଶହ ଶହ ଗାଁ। ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ପରେ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଜଟିଳ ହୋଇପଡ଼ିଛି। ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବା ସହ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନ୍ୟପଟେ ମହାନଦୀରେ ମାଡ଼ି ଆସୁଛି ଚଳିତ ବର୍ଷର ସବୁଠାରୁ ବଡ଼ ବନ୍ୟା। ହୀରାକୁଦରୁ ମାତ୍ର ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଇଥିଲେ ବି ବଢ଼ିବାରେ ଲାଗିଛି ମହାନଦୀର ଜଳସ୍ତର।

ଜଳସମ୍ପଦ ବିଭାଗର ଆକଳନ ଅନୁସାରେ, ମୁଣ୍ଡଳିରେ ପ୍ରବାହିତ ହେବ ୯ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ଜଳ। ଯାହାକି ମହାନଦୀର ତଳମୁଣ୍ଡ ଓ ଶାଖା ନଦୀରେ ଗତକାଲି ରାତି ଏବଂ ଆଜି ଅତିକ୍ରମ କରିବ। ଫଳରେ ମହାନଦୀ ତଳିଆ ଅଂଚଳ ଓ ଶାଖା ନଦୀ ଗୁଡିକରେ ବଡ଼ ବନ୍ୟା ଆଣିବା ଆଶଙ୍କା କରାଯାଉଛି। ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ି ଚାଲିଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୩୫ ଫୁଟ୍ ରହିଛି।

ଜଳଭଣ୍ଡାରକୁ ବର୍ତ୍ତମାନ ୩ଲକ୍ଷ ୮ ହଜାର ୨୫୭କ୍ୟୁସେକ ଜଳ ପ୍ରବେଶ କରୁଛି । ଦୁଇଟି ଗେଟ ଦେଇ ନିଷ୍କାସିତ ହେଉଛି ୬୫ହଜାର ୨୩୩କ୍ୟୁସେକ ଜଳ । ମହାନଦୀ ଫୁଲିକି ରହିଥିବାରୁ କମ୍ ଜଳ ନିଷ୍କାସନ କରାଯାଉଛି । ତେବେ ଖଇରମାଲରେ ପାଣି କମିଲେ କାଲି ହୀରାକୁଦର ୧୦ରୁ ୧୨ ଗେଟ୍ ଖୋଲିବା ନେଇ ବିଚାର କରୁଛନ୍ତି କର୍ତ୍ତୁପକ୍ଷ। ସେହିପରି ମୁଣ୍ଡଳୀ ୮ଲକ୍ଷ ୬୫ହଜାର ୪୭୪ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେପଟେ ପୂର୍ଣ୍ଣିମା ପାଇଁ ସମୁଦ୍ର ଜୁଆରିଆ ଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଫୁଲି ରହୁଛି ନଈର ପେଟ । ସ୍ଥିତିକୁ ଦେଖି ସତର୍କ କରିଛନ୍ତି ସରକାର ।

 

Leave A Reply

Your email address will not be published.