Latest Odisha News

ସୋଆରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ରାଇଜ୍ କନ୍‌କ୍ଲେଭ ଆୟୋଜିତ

ଭୁବନେଶ୍ୱର: ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ ଏଜୁକେସନ୍‌’ (ରାଇଜ୍‌) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ‘ରାଇଜ୍ କନ୍‌କ୍ଲେଭ୍‌’ ମଧ୍ୟ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସାରା ଦେଶରେ ଗବେଷଣା କ୍ଷେତ୍ରରେ ସଚ୍ଚୋଟତା ନିମନ୍ତେ ଗବେଷକମାନଙ୍କ କାର୍ଯ୍ୟକୁ ସୁଗମ ଓ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରି ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ମାସଠାରୁ ସ୍ପ୍ରିଞ୍ଜର ନେଚର ଇଣ୍ଡିଆ ରିସର୍ଚ୍ଚ ଟୁର-୨୦୨୪ କାର୍ଯ୍ୟକ୍ରମ ଦ୍ୱାରା ଗବେଷକମାନଙ୍କ ନିମନ୍ତେ ସାରା ଦେଶରେ ‘ରାଇଜ୍ ରୋଡ୍‌ଶୋ’, କର୍ମଶାଳା ଏବଂ ବିଭିନ୍ନ ଜ୍ଞାନଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହି ଅବସରରେ ଶ୍ରୀମତି ପରିଡ଼ା କହିଥିଲେ ଯେ, ଏହି ସମ୍ମିଳନୀ କେବଳ ଏକ ଶୈକ୍ଷିକ କାର୍ଯ୍ୟକ୍ରମ ନୁହେଁ ବରଂ ଗବେଷଣା କ୍ଷେତ୍ରରେ ନୈତିକ ଉତ୍କର୍ଷତା ନିମନ୍ତେ ଆଲୋଚନା, ସହଯୋଗିତା ଓ ଉଦ୍‌ଭାବନର ଦ୍ୱାରକୁ ଉନ୍ମୁକ୍ତ କରିଛି । ଏଭଳି ପଦକ୍ଷେପ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହାର ଉଦ୍ଦେଶ୍ୟ ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ମେଳ ଖାଉଛି ବୋଲି ସେ କହିଛନ୍ତି ।

ଏହା ସହ ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରସଙ୍ଗର ସମାଧାନର ବାଟ ବାହାର କରିବା ନିମନ୍ତେ ଶିକ୍ଷାବିତ୍ ଏବଂ ଗବେଷକମାନଙ୍କୁ ଅଭିନବ ଢ଼ଙ୍ଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ଶ୍ରୀମତି ପରିଡ଼ା କହିଥିଲେ ଯେ ସୋଆରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବା ପରେ ତାଙ୍କ ଝିଅ ନ୍ୟୁୟର୍କର ପ୍ରସିଦ୍ଧ ଷ୍ଟୋନୀ ବ୍ରୁକ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ସ୍ଥାନ ପାଇପାରିଥିଲେ । ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଚ୍ଚକୋଟୀର ପଦକ୍ଷେପ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ସେ ସ୍ପ୍ରିଞ୍ଜର ନେଚରର ଲ୍ୟାଣ୍ଡିଂ ପେଜ୍ ଏବଂ ଇଣ୍ଡିଆନ୍ ରିସର୍ଚ୍ଚ ଟୁର୍ ୨୦୨୪ର ଶୁଭାରମ୍ଭ କରି କହିଥିଲେ ଯେ, ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଏହି ଯାତ୍ରା ଆରମ୍ଭ ହୋଇ ଦେଶର ୧୦ଟି ରାଜ୍ୟ ଓ ୧୬ଟି ସହର ଅତିକ୍ରମ କରି ୨୮ଟି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବ ।

ସ୍ପ୍ରିଞ୍ଜର ନେଚର, ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଏବଂ ସୋଆ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶର ଅନେକ ଗବେଷକ ଏବଂ ଶିକ୍ଷାବିତମାନେ ଯୋଗ ଦେଇଥିଲେ ।

Comments are closed.