ମୁମ୍ବାଇ: କୌଣସି ଝିଅଙ୍କୁ ଥରେ ଫଲୋ କରିବା ‘ଅପରାଧ’ ନୁହେଁ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଅପରାଧ ତଥା ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ବେଳେ ଏଭଳି ରାୟ ଦେଇଛନ୍ତି।
ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଗୋଟିଏ ଥରେ କୌଣସି ଝିଅଙ୍କୁ ଅନୁସରଣ କରିବା ଅପରାଧ ନୁହେଁ। କିନ୍ତୁ କ୍ରମାଗତ ଭାବରେ କାହାକୁ ଅନୁସରଣ କରିଲେ ତାହାକୁ ଆଇନଗତ ଭାବରେ ଅପରାଧ ବୋଲି ଧରାଯିବ।
ଯୌନ ଉତ୍ପୀଡ଼ନ ଅଭିଯୋଗରେ ଦୁଇ ୧୯ ବର୍ଷ ବୟସ୍କ ଅଭିଯୁକ୍ତଙ୍କ ଆବେଦନ ଶୁଣିବାବେଳେ ଜଷ୍ଟିସ ଜିଏ ସାନପ ଏହି ରାୟ ଦେଇଛନ୍ତି।ଉଭୟଙ୍କ ବିରୋଧରେ ୧୪ ବର୍ଷର ନାବାଳିକାଙ୍କୁ ଯୌନ ଶୋଷଣ ଏବଂ ଜୋର ଜବରଦସ୍ତ ଘରେ ପଶିବା ନେଇ ଅଭିଯୋଗ ରହିଥିଲା।ଜାନୁଆରୀ ୨୦୨୦ରେ ମୁଖ୍ୟ ଅଭିଯୁକ୍ତ ନାବାଳିକାକୁ ଅଟକାଇ ତାଙ୍କୁ ବିବାହ କରିବାକୁ କହିଥିଲେ। ସେ ମନା କରିଥିଲେ ମଧ୍ଯ ଅଭିଯୁକ୍ତ ମାନିନଥିଲା। ଏପରିକି ପରବର୍ତ୍ତୀ ସମୟରେ ସେ ଘରେ ପଶି ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅନ୍ୟ ଅଭିଯୁକ୍ତ ଘର ବାହାରେ ପହରା ଦେଇଥିଲା।
ତେବେ ତଳ କୋର୍ଟ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ମାମଲା ଦାୟର କରିଥିଲେ। ସେମାନେ ସଜା କାଟୁଥିଲେ ମଧ୍ଯ ବମ୍ବେ ହାଇକୋର୍ଟଙ୍କ ତରଫରୁ ଆଶ୍ବସ୍ତି ମିଳିବା ସହ ସଜା କୋହଳ କରିଦେଇଛନ୍ତି।