Latest Odisha News

ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ ନୁହେଁ ଇଥାନଲରେ ଚାଲିବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ଇଥାନଲ କାର ଲଞ୍ଚ କରିଛନ୍ତି ଯାହା ୧୦୦% ଇଥାନଲରେ ଚାଲିବା ପାଇଁ ସକ୍ଷମ। ଗଡକରୀ ଟୟୋଟା ଇନୋଭାର ଫ୍ଲେକ୍ସ ଇନ୍ଧନ ମଡେଲ ଲଞ୍ଚ କରିଛନ୍ତି। ଇଥାନଲ ବିଷୟରେ ସବୁଠୁ ବଡ଼ କଥା ହେଉଛି ଏହା ତେଲ କୂଅରୁ ନୁହେଁ ବରଂ କୃଷକଙ୍କ କ୍ଷେତରୁ ମିଳୁଥିବା ବେଳେ ପେଟ୍ରୋଲ ଏବଂ ଡିଜେଲ ତୁଳନାରେ ପ୍ରଦୂଷଣକୁ ମଧ୍ୟ ହ୍ରାସ କରିଥାଏ। ଆଗାମୀ ଦିନରେ ଇଥାନଲ ବ୍ୟବହାର ହେତୁ ଦେଶରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୫ ଟଙ୍କା ହୋଇପାରେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଦାବି କରିଛନ୍ତି ।

ସୂଚନା ଥାଉକି, ଭାରତ ସରକାର ବର୍ତ୍ତମାନ ପେଟ୍ରୋଲରେ ୨୦% ଇଥାନଲ୍ ମିଶ୍ରଣ କରିବାକୁ ଯୋଜନା କରୁଛନ୍ତି। ଇ-୨୦ ଯୋଜନା ଅଧୀନରେ ୨୦୨୫-୨୦୨୬ ସୁଦ୍ଧା ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ଲଞ୍ଚ ହେବ। ୨୦୨୧-୨୨ ମସିହାରେ ଭାରତ ସରକାର ଏହାର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ୮୬ ପ୍ରତିଶତ ଇନ୍ଧନ ଆମଦାନି କରିଥିଲେ । ୧୧ ଜୁଲାଇ ୨୦୨୩ ରେ ପେଟ୍ରୋଲିୟମ୍ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଥିଲେ ଯେ ବର୍ତ୍ତମାନ ୧୩୫୦ପେଟ୍ରୋଲ ପମ୍ପରେ ଇ-୨୦ ପେଟ୍ରୋଲ ଉପଲବ୍ଧ ଅଛି ଏବଂ ୨୦୨୫ ସୁଦ୍ଧା ଏହା ସମଗ୍ର ଦେଶରେ ଉପଲବ୍ଧ ହେବ।ଇଥାନଲ ହେଉଛି ଏକ ପ୍ରକାର ଆଲ୍କୋହଲ୍, ଯାହାକି  ଆଖୁ ରସ, ମକା, ଆଳୁ, କସାବା ଏବଂ ପଚାସଢା ପନିପରିବାର ଫର୍ମେନ୍ଟେଷନରେ ପ୍ରସ୍ତୁତ।

ଷ୍ଟାର୍କ ଏବଂ ଚିନିର ଫର୍ମେନ୍ଟେଷନରେ ନିର୍ମିତ ଇଥାନଲ ପେଟ୍ରୋଲ ସହିତ ମିଶାଇ ଜୈବ ଇନ୍ଧନ କିମ୍ବା ଫ୍ଲେକ୍ସ ଇନ୍ଧନ ଭାବରେ ବ୍ୟବହୃତ ହୁଏ। ପ୍ରସ୍ତୁତ କରାଯାଇଥିବା ଫ୍ଲେକ୍ସ ଇନ୍ଧନ ପେଟ୍ରୋଲ ପମ୍ପକୁ ପଠାଯାଏ ଓ ସେଠାରେ ଇନ୍ଧନକୁ ଯାନବାହନଗୁଡ଼ିକରେ ବ୍ୟବହାର କରାଯାଏ। ଫ୍ଲେକ୍ସ ଇନ୍ଧନରେ ଚାଲୁଥିବା ଯାନଗୁଡିକ ମଧ୍ୟ ବିଭିନ୍ନ ପ୍ରକାରର ହୋଥିବାବେଳେ, ଏହାର ଇଞ୍ଜିନଗୁଡ଼ିକ ଫ୍ଲେକ୍ସ ଇନ୍ଧନ କିମ୍ବା ବାୟୋ ଇନ୍ଧନରେ ଚାଲିବା ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ବ୍ରାଜିଲ ହେଉଛି ବିଶ୍ୱର ସବୁଠାରୁ ବଡ ଫ୍ଲେକ୍ସ ଇନ୍ଧନ ଉତ୍ପାଦନକାରୀ । ୧୯୭୫ରେ, ବ୍ରାଜିଲ ତୈଳ ଆବଶ୍ୟକତା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଇଥାନଲ ଉତ୍ପାଦନ କରିବା ଆରମ୍ଭ କରିଥିଲା। ବର୍ତ୍ତମାନ ବ୍ରାଜିଲରେ ଚାଲୁଥିବା ୯୩% ଯାନ ଇଥାନଲ ମିଶ୍ରିତ ଫ୍ଲେକ୍ସ ଇନ୍ଧନରେ ଚାଲିଥାଏ । ୨୦୩୦ସୁଦ୍ଧା ବ୍ରାଜିଲର ୭୨% ଇନ୍ଧନ ଚାହିଦା ଜୈବ ଇନ୍ଧନ ଦ୍ୱାରା ପୂରଣ ହେବ ବୋଲି ଆକଳନ କରାଯାଇଛି । ଫ୍ଲେକ୍ସ ଇଞ୍ଜିନ ଥିବା ଯାନଗୁଡ଼ିକ ପେଟ୍ରୋଲ, ଡିଜେଲ, ଇଥାନଲ କିମ୍ବା ଫ୍ଲେକ୍ସ ଇନ୍ଧନରେ ଚାଲିପାରିବ।

ନୀତିନ ଗଡକରୀ ଭାରତରେ ଲଞ୍ଚ୍ କରିବାକୁ ଯାଉଥିବା କାର୍ ୧୦୦% ଇଥାନଲରେ ଚାଲିପାରିବ। ଅର୍ଥାତ୍ ଏହି କାରଟି ଫ୍ଲେକ୍ସ ଇନ୍ଧନରେ ଚାଲିବା ସହିତ ସମ୍ପୂର୍ଣ୍ଣ ଇଥାନଲରେ ମଧ୍ୟ ଚଲାଯାଇପାରିବ । ଫ୍ଲେକ୍ସ ଇନ୍ଧନ ଯାନ ବ୍ୟବହାର ଦ୍ୱାରା କଞ୍ଚା ତେଲର ଆମଦାନୀ ମଧ୍ୟ ହ୍ରାସ ପାଇବା ସହିତ ପ୍ରତିବର୍ଷ ୧୬ ଲକ୍ଷ ଟଙ୍କା ସଞ୍ଚୟ କରିବ। ପେଟ୍ରୋଲିୟମ ଉତ୍ପାଦଠାରୁ ଇଥାନଲର ମୂଲ୍ୟ କମ୍ ରହିଛି। ଏପରି ପରିସ୍ଥିତିରେ, ଯେତେବେଳେ ଏକ ଲିଟର ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ହୁଏ, ତେବେ ମୂଲ୍ୟ ହ୍ରାସ ହେବା ସ୍ୱାଭାବିକ। ପେଟ୍ରୋଲ ତୁଳନାରେ ଇଥାନଲ ଉପରେ କମ୍ ଟିକସ ଲାଗୁ କରାଯାଇଛି।

ଫ୍ଲେକ୍ସ ଇନ୍ଧନ ଜଳିବା ସମୟରେ ଅଙ୍ଗାରକାମ୍ଳ ଏବଂ ମନୋକ୍ସାଇଡ୍ ପରି କମ୍ ଗ୍ୟାସ୍ ନିର୍ଗତ କରେ। ଏହାର ବ୍ୟବହାର ବଢିବା ସହିତ ପ୍ରଦୂଷଣ ହାର ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଇଥାନଲ ତିଆରି କରିବା ପାଇଁ ଆଖୁ ଏବଂ ମକା ପରି ଫସଲର ଅମଳ ବୃଦ୍ଧି କରିବାର ଆବଶ୍ୟକତା ରହିବ। ଏହାଦ୍ୱାରା ଏହି ଫସଲର ଚାହିଦା ବୃଦ୍ଧି ପାଇବ ଏବଂ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ। ବର୍ତ୍ତମାନ ଭାରତରେ କେବଳ ପେଟ୍ରୋଲ ସହିତ ଇଥାନଲ ମିଶ୍ରିତ ହେଉଛି  ଡିଜେଲରେ ଇଥାନଲ ମିଶ୍ରଣକୁ ନେଇ ଯୋଜନା ରହିଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି।

 

 

Comments are closed.