Latest Odisha News

BREAKING NEWS

ଗର୍ଜିଲେ ଅମିତ ଶାହ; ଆମେ ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ଯାଇ ଜବାବ ଦେଇଛୁ

ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନିଆଯାଇଛି। ତିନୋଟି ସେନା ବାହିନୀ ଇଟାର ଜବାବ ପଥରରେ ଦେଇଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ଆମେ ପରମାଣୁ ବୋମାର ଧମକକୁ ଭୟ କରୁନାହୁଁ।

ଅମିତ ଶାହ କହିଥିଲେ, ଆତଙ୍କବାଦୀମାନେ ପାକିସ୍ତାନରୁ ଆସି ଆମ ଲୋକଙ୍କୁ ଏବଂ ସେନାକୁ ହତ୍ୟା କରୁଥିଲେ ଏବଂ ତା’ପରେ ଚାଲିଯାଉଥିଲେ। ଆମେ କିଛି କରିପାରୁ ନଥିଲୁ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ ତିନୋଟି ବଡ଼ ଆକ୍ରମଣ ହୋଇଛି। ପ୍ରଥମଟି ଉରିରେ, ଦ୍ୱିତୀୟଟି ପୁଲୱାମାରେ ଏବଂ ତୃତୀୟଟି ପହଲଗାମରେ ଘଟିଥିଲା। ମୋଦି ପ୍ରତ୍ୟେକ ଆକ୍ରମଣର ଜବାବ ଏତେ ଶକ୍ତିଶାଳୀ ଭାବରେ ଦେଇଛନ୍ତି ଯେ, ଆଜି ସାରା ବିଶ୍ୱ ଆଶ୍ଚର୍ଯ୍ୟର ସହିତ ଦେଖୁଛି ଏବଂ ଆଜି ପାକିସ୍ତାନ ଭୟଭୀତ ଅଛି ।

ଗୃହମନ୍ତ୍ରୀ ଶାହ କହିଛନ୍ତି, ଉରି ଆକ୍ରମଣ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଏକ ପ୍ରତୀକାତ୍ମକ ଜବାବ ଦିଆଯାଇଥିଲା। ସତର୍କ କରାଯାଇଥିଲା । ଯେତେବେଳେ ପୁଲୱାମାରେ ଆକ୍ରମଣ ହୋଇଥିଲା, ସେତେବେଳେ ଏୟାରଷ୍ଟ୍ରାଇକ୍ କରି ଚେତାବନୀ ଦିଆଯାଇଥିଲା। କିନ୍ତୁ ସେମାନେ ସୁଧିରିଲେ ନାହିଁ; ପହଲଗାମ ଆକ୍ରମଣ କରିଥିଲେ । ଏହାପରେ ଆତଙ୍କୀ ମୁଖ୍ୟାଳୟକୁ ଅପରେସନ ସିନ୍ଦୂର ଦ୍ୱାରା ଧ୍ୱଂସ କରାଯାଇଛି । ସାରା ବିଶ୍ୱର ପ୍ରତିରକ୍ଷା ବିଶେଷଜ୍ଞମାନେ ଅପରେସନ ସିନ୍ଦୂରର ବିଶ୍ଳେଷଣ ଆରମ୍ଭ କରନ୍ତି, ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ପହଲଗାମ ଆକ୍ରମଣର ପ୍ରତିଶୋଧ ଲସ୍କର ଏବଂ ଜୈଶର ମୁଖ୍ୟାଳୟକୁ ଧ୍ୱଂସ କରି ଦିଆଯାଇଥିଲା।

ଆହୁରି ମଧ୍ୟ ସେ କହିଛନ୍ତି, ଭାରତୀୟ ସଂସ୍କୃତି ଅନୁସାରେ ଭାରତ ଜବାବ ଦେଇଛି । ଲସ୍କର ଏବଂ ଜୈଶର ମୁଖ୍ୟାଳୟ ଉଡ଼ାଇ ଦିଆଯାଇଛି। ବୀର ଭାରତୀୟ ସେନା ଦ୍ୱାରା ମୋଟ ନଅଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି । ଆମେ ପାକିସ୍ତାନ ସୀମାର ୧୦୦ କିଲୋମିଟର ଭିତରକୁ ଯାଇ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଛୁ। ଅନେକ ଆନ୍ତର୍ଜାତୀୟ ଆତଙ୍କବାଦୀ ଘଟଣାର ମାଷ୍ଟରମାଇଣ୍ଡମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ, ଯଦି ଭାରତୀୟଙ୍କ ବିରୁଦ୍ଧରେ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାର ଜବାବ ଦ୍ୱିଗୁଣିତ ଶକ୍ତି ସହିତ ଦିଆଯିବ।

Comments are closed.