Latest Odisha News

ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ

ପାଣାଜି: ଆଜି ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ । ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରମୋଦ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସକାଳ ୧୧ଟାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକ ଯୋଗଦେବେ । ତେବେ ସୋମବାର ଶପଥ ନେବାକୁଥିବା ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂଖ୍ୟାକୁ ନେଇ ବିଜେପି ଏଯାବତ୍ ଚୁପ୍ ରହିଛି।

କେତେଜଣ ମନ୍ତ୍ରୀ ଶପଥ ନେବେ ତାହା ଜଣାପଡ଼ିନାହିଁ। ଗୋଆ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ ୧୧ ଜଣ ମନ୍ତ୍ରୀ ରହିପାରିବେ। ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ରାଜଭବନ ପରିସର ବାହାରେ ଶପଥ ନେବେ।

୨୦୧୨ରେ ପାଣାଜିର କ୍ୟାମ୍ପାଲ୍ ପଡ଼ିଆରେ ମନୋହର ପାରିକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜେପି ଗୃହରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ସେ କହିଛନ୍ତି, ବିଧାୟକ ଆଲେକ୍ସୋ ସିକେରାଙ୍କୁ ପ୍ରୋଟେମ୍ ସ୍ପିକାର ପଦ ପାଇଁ ମନୋନୀତ କରାଯାଇଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ବାଚସ୍ପତି ଭାବେ ସିକେରାଙ୍କ ନାଁ ପ୍ରସ୍ତାବ ରଖିବ ବୋଲି ସୂଚନା ରହିଛି ।

ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ ମାର୍ଚ୍ଚ ୨୯ରୁ ଦୁଇ ଦିନିଆ ବିଧାନସଭାର ଅଧିବେଶନ ଡାକିଛନ୍ତି, ଯେଉଁଥିରେ ସାବନ୍ତଙ୍କୁ ଆସ୍ଥା ଭୋଟ୍ ଦେବାକୁ ପଡ଼ିବ ବୋଲି ଅଧିକାରୀମାନେ ପୂର୍ବରୁ କହିଥିଲେ। ଏହି ଅଧିବେଶନରେ ନୂଆ ବାଚସ୍ପତି ମଧ୍ୟ ନିର୍ବାଚିତ ହେବେ। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପକ୍ଷରୁ ବିଧାୟକ ଆଲେକ୍ସୋ ସିକେରାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଛି।

ନିକଟରେ ଶେଷ ହୋଇଥିବା ରାଜ୍ୟ ନିର୍ବାଚନରେ ବିଜେପି ୨୦ଟି ଆସନରେ ବିଜୟୀ ହୋଇଛି, ଯାହାକି ୪୦ ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟା ଗରିଷ୍ଠତାଠାରୁ ଗୋଟିଏ କମ୍। ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ତିନି ଜଣ ସ୍ୱାଧୀନ ବିଧାୟକ ଏବଂ ଦୁଇ ଜଣ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି। ସାଓ୍ୱନ୍ତ ଉତ୍ତର ଗୋଆର ଶଙ୍ଖାଲିମରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

୨୦୧୭ରେ ମନୋହର ପାରିକର ସରକାରରେ ଗୋଆ ବିଧାନସଭାର ବାଚସ୍ପତି ଥିଲେ ସାଓ୍ୱନ୍ତ। ପାରିକରଙ୍କ ଦେହାନ୍ତ ପରେ ୨୦୧୯ ମାର୍ଚ୍ଚରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସାଓ୍ୱନ୍ତ ପେଶାରେ ଜଣେ ଆୟୁର୍ବେଦିକ ଡାକ୍ତର।

Comments are closed.