Latest Odisha News

BREAKING NEWS

୧୨ ଗୋଠଛଡ଼ା ଦନ୍ତା ହାତୀ ଠାବ, ଟ୍ରାଙ୍କୁଲାଇଜ୍ କରି ବନ୍ଧାହେବ ରେଡିଓକଲାର୍

ଭୁବନେଶ୍ୱର: ଏଣିକି ସାବାଡ଼ ହେବେ ଉତ୍ପାତ ଚଳାଇଥିବା ଦନ୍ତା ହାତୀ। ରାଜ୍ୟରେ ଜନବସତି ମୁହାଁ ହୋଇ ଉତ୍ପାତ ଚଳାଇଥିବା ୧୨ ଗୋଠଛଡା ଦନ୍ତାଙ୍କୁ ବନବିଭାଗ ଚିହ୍ନଟ କରିଛି। ଖୁବଶୀଘ୍ର ସେମାନଙ୍କୁ ଟ୍ରାଙ୍କୁଲାଇଜ୍ କରି ବେକରେ ରେଡିଓକଲାର୍ ବନ୍ଧାଯିବ। ସେମାନଙ୍କୁ ଉଠାଇ ନେଇ ଅଭୟାରଣ୍ୟ ଭିତରକୁ ଛଡାଯିବ। ଯଦି ରେଡିଓକଲାରକୁ ଖାତିର ନକରି ପୁଣି ଜନବସତି ମୁହାଁ ହୁଅନ୍ତି ତେବେ ପୁଣି ସେମାନଙ୍କୁ ଟ୍ରାଙ୍କୁଲାଇଜ୍ କରି ଚନ୍ଦକା ଓ ଶିମିଳିପାଳରେ ଥିବା ହାତୀ ପାଠଶାଳାରେ ଛଡାଯିବ।

ସେମାନଙ୍କୁ ଜଙ୍ଗଲ ଜଗିବାଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ପିଠିରେ ବସାଇ ବୁଲାଇବା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କରିଛନ୍ତି। ରାଜ୍ୟରେ ଥିବା ୩୦୦ରୁ ଅଧିକ ଦନ୍ତା ହାତୀ ମଧ୍ୟରୁ ଚିହ୍ନଟ ହୋଇଛନ୍ତି ଏଭଳି ୧୨ ଗୋଠଛଡ଼ା। ଦନ୍ତା ହାତୀଙ୍କ ପ୍ରୋଫାଇଲିଂରୁ ୧୨ଟି ଲୋନଲି ଟସ୍କର ଚିହ୍ନଟ ହୋଇଛି। ରାଉରକେଲା, ବାରିପଦା, ଭୁବନେଶ୍ୱର ଓ ଅନୁଗୁଳ ଭଳି ୪ଟି ସର୍କଲରେ ଏଭଳି ୩ ଟି ଲେଖାଏଁ ଦନ୍ତା ହାତୀ ଚିହ୍ନଟ ହୋଇଛନ୍ତି। ଯେଉଁଗୁଡ଼ିକ ମଣିଷ ପାଇଁ ବିପଦପୂର୍ଣ୍ଣ ହେଉଛନ୍ତି ତଥା ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି।

ଏହି ହାତୀଙ୍କୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଇ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବାର ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଆଉ ଏକ ହାତୀ ମାଖନା, ଯିଏ ଚନ୍ଦକା ଓ ଖୋର୍ଦ୍ଧା ମଧ୍ୟରେ ବୁଲାବୁଲି କରୁଛି। ସେ ବି ଘର ଭାଙ୍ଗି ଦେଉଛି। ଲୋକଙ୍କ ବାଡ଼ିରେ ପଶିଯାଉଛି। ତେଣୁ ସେ ବି ଧନଜୀବନ ହାନି କରିପାରେ। ତେଣୁ କିଛି ଅଘଟଣ ଘଟିବା ଆଗରୁ ତାକୁ ଟ୍ରାଙ୍କୁଲାଇଜ କରି ଅଭୟାରଣ୍ୟ ଭିତରେ ରଖିବାକୁ ବା ହାତୀ ସୁଧାର କେନ୍ଦ୍ରକୁ ନେଇଯିବାକୁ ଯୋଜନା କରାଯାଇଛି। ଆଉ ଯେଉଁ ୯ଟି ହାତୀ ରହିଲେ, ସେମାନଙ୍କର ପ୍ରୋଫାଇଲିଂ କରାଯିବ। ସେମାନେ କେତେ କ୍ଷତି ପହଞ୍ଚାଇ ସାରିଲେଣି ଓ ସେମାନେ ଧନଜୀବନ ପାଇଁ କେତେ ବିପଜ୍ଜନକ ଦେଖିଲା ପରେ ସେମାନଙ୍କୁ ମଧ୍ୟ ଟ୍ରାଙ୍କୁଲାଇଜ କରି ଅଭୟାରଣ୍ୟ ଭିତରକୁ ନେଇଯିବାକୁ ବା ହାତୀ ସୁଧାର କେନ୍ଦ୍ରକୁ ନେବାକୁ ଅନୁମତି ଦିଆଯିବ।

Comments are closed.