Latest Odisha News

BREAKING NEWS

ତାଳ ଗଛ କାଟିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ଏଣିକି ମନ ଇଚ୍ଛା କାଟିପାରିବେନି ତାଳଗଛ । ସରକାରଙ୍କ ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟନୁଷ୍ଠାନ । ଏମିତିକି ନିଜ ବାରିରେ ଲାଗିଥିବା ତାଳ ଗଛ ମଧ୍ୟ କାଟିବା ବେଆଇନ । ବନବିଭାଗର ବିନା ଅନୁମତିରେ ତାଳ ଗଛ କାଟିଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ । ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ କିଛି ଏମିତି ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ।

ତେବେ ପ୍ରତିବର୍ଷ ବର୍ଷା ଦିନେ ବଜ୍ରପାତରେ ବହୁ ଜୀବନ ଚାଲିଯାଉଛି । ଯାହାକୁ ରୋକିବା ପାଇଁ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର । ପାରମ୍ପରିକ କଥାବସ୍ତୁ ଅନୁଯାୟୀ ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡିଆ ଗଛ ଉପରେ ହୋଇଥାଏ। ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣର ତାଳଗଛ ଥିଲା। ଏହା ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ସହାୟକ ହେଉଥିଲା। ସହରୀକରଣ ଓ ଗାଁରେ ଛପର ଘର ନଥିବାରୁ ସମୟ କ୍ରମେ ଏହାକୁ ଆଉ ଲଗାଇବାକୁ କେହି ମନ ବଳାଉନାହାନ୍ତି । ତାଳ ଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡୁଛି। ଯାହା ଦ୍ବାରା ବିଲବାଡ଼ିରେ କାମ କରୁଥିବା କୃଷକ ଓ ଶ୍ରମିକମାନେ ଏହାର ଶିକାର ହେଉଛନ୍ତି। ବିଶେଷ କରି ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ଯୋଗୁଁ ଅନେକ ଲୋକ ମୃତାହତ ହେଉଛନ୍ତି।

ତେବେ ୨୦୧୮ରେ ସମସ୍ତ ରାଜ୍ୟ ଓ ଜାତୀୟ ରାଜପଥ, ଗ୍ରାମାଞ୍ଚଳ, ସଂରକ୍ଷିତ ଜଙ୍ଗଲ ଓ କ୍ଷେତରେ ତାଳଗଛ ଲଗାଇବାକୁ ଜଙ୍ଗଲ ବିଭାଗ ରାଜ୍ୟର ସମସ୍ତ ବନଖଣ୍ଡକୁ ଜଣାଇଥିଲା। ହେଲେ ତାହା ଫଳପ୍ରଦ ହୋଇପାରିନଥିଲା ।

ଏବେ ନୂଆ ସରକାର ଆସିବା ପରେ ସେହି ପାରମ୍ପରିକ ପଦ୍ଧତି ଦ୍ବାରା ହିଁ ବଜ୍ରପାତକୁ ରୋକିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ତାଳ ଗଛ କାଟିବା ଉପରେ କଟକଣା ଲଗାଇଛନ୍ତି ସରକାର । ଏହା ସହ ନୂତନ ତାଳଗଛ ଲଗାଯିବାକୁ ମଧ୍ୟ ଯୋଜନା କରାଯାଉଛି ।

Leave A Reply

Your email address will not be published.