Latest Odisha News

ଏଣିକି ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ: ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ବନ ଅଧିକାରୀଙ୍କ ପାଇଁ ଆସିଲା କଡ଼ା ନିୟମ। ଏଣିକି ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ। ବନ ବିଭାଗର ବଦଳି ନିର୍ଦ୍ଦେଶକୁ କେତେକ ଅଧିକାରୀ ପାଳନ କରିବାରେ ବିଳମ୍ବ କରୁଥିବା ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଏକ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, ବଦଳି ନିର୍ଦ୍ଦେଶକୁ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ପ୍ରିନ୍ସିପାଲ୍‌ ଚିଫ୍‌ କନ୍‌ଜର୍ଭେଟର ଅଫ୍‌ ଫରେଷ୍ଟ (PCCF) ପକ୍ଷରୁ କଡ଼ା ସତର୍କବାଣୀ ଜାରି କରାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆ ସରକାର କ୍ଷମତାକୁ ଆସିବା ପରେ ରେଞ୍ଜର, ଏସିଏଫ ଓ ଡିଏଫଓ ସ୍ତରର ଅଧିକାରୀମାନେ ନିଜ ଜନ୍ମ କିମ୍ବା ଘର ଜିଲ୍ଲାରେ କାର୍ଯ୍ୟରତ ରହିପାରିବେ ନାହିଁ ବୋଲି ସରକାର ନୀତି ପ୍ରଣୟନ କରିଥିଲେ । ସେହି ନୀତି ଅନୁଯାୟୀ ବଦଳି ଆଦେଶ ଜାରି କରାଯାଇଥିଲା। ତେବେ କେତେକ ଅଧିକାରୀ ଏପର୍ଯ୍ୟନ୍ତ ରିଲିଭ୍‌ ନହୋଇ ବିଳମ୍ବ କରୁଥିବାରୁ PCCF ସେମାନଙ୍କୁ ସତର୍କ କରିଛନ୍ତି । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବଦଳି ପ୍ରକ୍ରିୟାରେ କୌଣସି ରାଜନୈତିକ ଚାପ କିମ୍ବା ସୁପାରିସକୁ ପ୍ରଶ୍ରୟ ଦିଆଯିବ ନାହିଁ।

ଅଧିକାରୀମାନେ ରାଜନୈତିକ ବ୍ୟକ୍ତିଙ୍କ ମାଧ୍ୟମରେ ଚାପ ସୃଷ୍ଟି କରିବାରୁ ବିରତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ପ୍ରାୟ ୭୫ ପ୍ରତିଶତ ଅଧିକାରୀଙ୍କୁ ରିଲିଭ୍‌ କରାଯାଇସାରିଛି । ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ବିଶେଷ ବ୍ୟକ୍ତିଗତ ଅସୁବିଧା ରହିଛି, ସେମାନଙ୍କ ଆବେଦନକୁ ବିଭାଗ ପକ୍ଷରୁ ପୃଥକ ଭାବେ ସମୀକ୍ଷା କରାଯାଉଛି । ନିୟମ ଅନୁଯାୟୀ ଉଚିତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Comments are closed.