ଗୁଣୁପୁର: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର । ଏଭଳି ଲଜ୍ଜା ଜନକ ଖବର ଆସିଛି ଗୁଣୁପୁରରୁ । ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି । ଗିରଫ ଫରେଷ୍ଟର ଜଣକ ହେଲେ ନରସିଂହ ଶତପଥୀ (୫୯) ।
ମିଳିଥିବା ଖବର ଅନୁସାରେ, ନରସିଂହ ଶତପଥୀ ଗୁଡ଼ାରୀ ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ । ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ନରସିଂହ ତାଙ୍କ ଘର ପଡ଼ିଶାରେ ଅଜା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ବଳାତ୍କାର ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ନାବାଳିକାଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ । ପରିବାରବର୍ଗ ଖବର ପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।
ଏହା ପରେ ଗ୍ରାମବାସୀ ନରସିଂହକୁ କାବୁ କରି ମାଡ଼ ମାରିଥିଲେ । କେନ୍ଦୁଗୁଡା ଫାଣ୍ଡି ପୋଲିସ ସୂଚନା ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ନରସିଂହକୁ ଗିରଫ କରି ପଦ୍ମପୁର ଆଣି କେସ ନଂ ୪୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା ଦେଇଛନ୍ତି ।
Comments are closed.