Latest Odisha News

BREAKING NEWS

ଅଯୋଧ୍ୟା ଆନ୍ଦୋଳନର ପାଞ୍ଚ କର୍ଣ୍ଣଧାର, ଜାଣନ୍ତୁ କିଏ ସେମାନେ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୀର୍ଘ ୪୯୨ ବର୍ଷର ଅପେକ୍ଷାର ଅନ୍ତ ହେବ । ୭୦ ବର୍ଷ ତଳେ ନିଆଯାଇଥିବା ସଂକଳ୍ପ ଆଜି ଆକାର ଧାରଣ କରିବ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଯୋଧ୍ୟା ଆନ୍ଦୋଳନରେ ଲେଖାଯିବ ନୂଆ ଅଧ୍ୟାୟ ।

୧୫୨୮ ମସିହାରୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଜାରି ରହିଥିଲା ସଂଘର୍ଷ । ବାବରଙ୍କ ସେନାପତି ମୀର ବାକି ବଳପୂର୍ବକ ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା । ୧୯୪୯ ମସିହାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି ଆରମ୍ଭ ହୋଇଥିଲା । ୧୯୮୦ରୁ ଆରଏସଏସ-ବିଜେପି ଏଜେଣ୍ଡାରେ ରହିଆସିଛି ରାମମନ୍ଦିର ନିର୍ମାଣ ।
ଲାଲକୃଷ୍ଣ ଆଡଭାନୀ
ବିଜେପି ଭେଟେରାନ୍ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଅଯୋଧ୍ୟା ରାମ ଜନ୍ମଭୂମି ଅଭିଯାନ ତ୍ୱରାନ୍ୱିତ ହୋଇଥିଲା । ୧୯୯୦ରେ ଗୁଜରାଟର ସୋମନାଥ ମନ୍ଦିରରୁ ରାମଜନ୍ମଭୂମି ଯାଏଁ ରଥଯାତ୍ରାରେ କରିଥିଲେ ଆଡଭାନୀ । ତାଙ୍କୁ ମିଳିଥିଲା ଅଭୁତପୂର୍ବ ଜନ ସମର୍ଥନ । ତାର ଦୁଇ ବର୍ଷ ପରେ କରସେବକ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିଥିଲେ । ଏହି ଅଭିଯାନରେ ସାମିଲ ହୋଇଥିଲେ ଆଡଭାନୀଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଓ ବିଜେପି ନେତା ।

ପ୍ରମୋଦ ମହାଜନ
ଅଟ୍ଟଳ ବିହାରୀ ବାଜପେୟୀ ସରକାରରେ ସଙ୍କଟ ମୋଚକ ଥିଲେ ପ୍ରମୋଦ ମହାଜନ । ୧୯୯୦ରେ ସେ ଥିଲେ ବିଜେପିର ସାଧାରଣ ସମ୍ପାଦକ । ଲାଲକୃଷ୍ଣ ଆଡଭାନୀଙ୍କୁ ରଥଯାତ୍ରା କରିବା ପାଇଁ ପରାମର୍ଶ ଦେଇଥିଲେ ପ୍ରମୋଦ ମହାଜନ । ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସେପ୍ଟେମ୍ୱର ୨୫ରୁ ରଥଯାତ୍ରା ଆରମ୍ଭ କରିବାକୁ କହିଥିଲେ ।
ଅଶୋକ ସିଂହଲ
ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଂହଲ । ରାମ ମନ୍ଦିର ଆନ୍ଦୋଳନର ଆଉ ଜଣେ ପୃଷ୍ଠପୋଷକ । ଜନ ସମର୍ଥନ ଜୁଟାଇବାରେ ତାଙ୍କର ବିରାଟ ସମର୍ଥନ ରହିଥିଲା । ୨୦୧୧ ଯାଏଁ ଅଶୋକ ସିଂହଲ ଥିଲେ ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ । ୨୦୧୫ରେ ତାଙ୍କର ଦେହାନ୍ତ ହୋଇଥିଲା ।

ମୂରଲୀ ମନୋହର ଯୋଶୀ
ରାମମନ୍ଦିର ଆନ୍ଦୋଳନର ଆଉ ଜଣେ କର୍ଣ୍ଣଧାର ଥିଲେ ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଯୋଶୀ । ଲାଲକୃଷ୍ଣ ଆଡଭାନୀଙ୍କ ପ୍ରମୁଖ ସହଯୋଗୀ । ୧୯୮୦ରୁ ୧୯୯୦ ଯାଏ ସେ ବିଜେପିର ପ୍ରଫେସର ଥିଲେ । ୧୯୯୨ରେ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିବାରେ ତାଙ୍କର ସଂପୃକ୍ତି ଅଭିଯୋଗ ହୋଇଥିଲା।

କଲ୍ୟାଣ ସିଂହ
ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଥିଲେ ଅଯୋଧ୍ୟା କ୍ୟାମ୍ପେନର ସୂତ୍ରଧର । ୧୯୯୨ ଡିସେମ୍ବରରେ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିବା ସମୟରେ ସେ ଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ବଳପୂର୍ବକ ବାବିଦୀୟ ଢାଞ୍ଚାକୁ ଭାଙ୍ଗିବା ଘଟଣାରେ କରସେବକଙ୍କ ବିରୋଧରେ ବଳ ପ୍ରୟୋଗ ନକରିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ ।

ଏମାନଙ୍କ ବ୍ୟତୀତ ଉମା ଭାରତୀ, ପ୍ରବୀଣ ତୋଗାଡ଼ିଆ, ବିଷ୍ଣୁ ହରି ଡାଲମିୟା, ବିନୟ କଟାରିଆ, ସାଧ୍ୱୀ ରୀତାମ୍ବରାଙ୍କ ଭୂମିକା ମଧ୍ୟ ରହିଥିଲା ।

Leave A Reply

Your email address will not be published.