Latest Odisha News

Weather Update: ଫେରିଗଲା କି ମୌସୁମୀ? ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଅନୁମାନ। ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହେବ। ଏପଟେ ଦେଶରୁ ସଂପୂର୍ଣ୍ଣ ବିଦାୟ ନେଇଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।

ଆସନ୍ତା ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପରେ ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ। ପରେ ଏହା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ। ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି କିଛି ପାଣିପାଗ ବିଭାଗ ଆକଳନ କରିଛନ୍ତି। କିନ୍ତୁ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହି ଲଘୁଚାପ କେତେ ଘନୀଭୂତ ହେବ ଓ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ଆଡ଼କୁ ଯିବ, ତାହା ଏବେଠାରୁ କହିହେବନି। ଲଘୁଚାପ ସୃଷ୍ଟି ହେବା ପରେ ଏହାର ସ୍ପଷ୍ଟ ଚିତ୍ର ଆସିବ। କିନ୍ତୁ ମଡେଲ ଅନୁସାରେ ଏହା ଅବପାତରେ ପରିଣତ ହେଲେ ବି ଓଡ଼ିଶା ଉପରେ କୌଣସି ପ୍ରଭାବ ରହିବନି। ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ଓ କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments are closed.