ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୁରୁତର ପ୍ରଶ୍ନ ଉଠାଇ କେନ୍ଦ୍ର ଉପରେ ଆଟାକ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ହୃଦୟର ସହିତ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଗତ ଦେଢ ବର୍ଷ ମଧ୍ୟରେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ବିଗିଡି ଯାଇଛି । ରାଜଧାନୀରେ ଗ୍ୟାଙ୍ଗ ଓ୍ବାର, ଚୋରୀ ତସ୍କରୀ ଏବଂ ମହିଳାଙ୍କ ବିରୁଦ୍ଧରେ ବହୁ ଅପରାଧିକ ଘଟଣା ଘଟିଛି ଯାହା ହୃଦୟ ବିଦାରକ ଅଟେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆଜି ଲୋକମାନେ କହୁଛନ୍ତି ଯେ ଦିଲ୍ଲୀ ସବୁଠାରୁ ଅସୁରକ୍ଷିତ ରାଜଧାନୀ ପାଲଟିଛି । ଆଜି ଦିଲ୍ଲୀର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦଶ ବର୍ଷ ପୂର୍ବେ, ଲୋକମାନେ ମୋତେ ବିଦ୍ୟୁତ୍, ଜଳ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଦାୟିତ୍ବ ଦେଇଥିଲେ, ଯାହା ଆମେ ଭଲ ଭାବେ ତୁଲାଇଥିଲୁ । କିନ୍ତୁ ଯେଉଁମାନେ ଦିଲ୍ଲୀରେ ଆଇନ ଶୃଙ୍ଖଳା ପାଇଁ ଦାୟୀ, ସେମାନେ ଏହାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି ।
କେଜ୍ରିୱାଲ ଆହୁରି କହିଛନ୍ତି ଯେ, ୨୦୨୨ ମସିହାରେ ୫୨୨ଟି ହତ୍ୟାକାଣ୍ଡ ଘଟିଥିଲା । ଆଜି ଦିଲ୍ଲୀର ମହିଳା ଏବଂ ବ୍ୟବସାୟୀମାନେ ଭୟଭୀତ ଅଛନ୍ତି । ସେ କହିଛନ୍ତି ଯେ ଗତକାଲି ମୁଁ ନାଙ୍ଗଲୋଇ ଯାଇ ରୋଶନଲାଲଙ୍କ ପରିବାରକୁ ଭେଟିଥିଲି, କିନ୍ତୁ ବିଜେପି ଲୋକମାନେ ମୋତେ ସେଠାକୁ ଯିବାକୁ ଦେଇ ନଥିଲେ । ଜଣା ନାହିଁ ବିଜେପି ଲୋକମାନେ କ’ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ? ସେ କହିଛନ୍ତି ଯେ ଯଦି ଆଇନ ଶୃଙ୍ଖଳା ଠିକ୍ ହୋଇଥାନ୍ତା ତେବେ ମୋତେ ସେଠାକୁ ଯିବା ଆବଶ୍ୟକ ହୋଇନଥାନ୍ତା ।
ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ, ପୋଲିସ ରେକର୍ଡରେ ୧୬୦ଟି ଧମକପୂର୍ଣ୍ଣ ଫୋନ୍ କଲ୍ ଅଛି କିନ୍ତୁ ଏତିକି ନୁହେଁ ଏହାଠାରୁ ଅଧିକ ଅଛି । ଅଧିକାଂଶ ଲୋକ ଭୟରେ ରିପୋର୍ଟ କରନ୍ତି ନାହିଁ । ଭୟ ଯୋଗୁଁ ବ୍ୟବସାୟୀମାନେ ଦିଲ୍ଲୀ ଛାଡି ଅନ୍ୟ ରାଜ୍ୟକୁ ଯାଉଛନ୍ତି । ଦିଲ୍ଲୀରେ ମହିଳାଙ୍କୁ ଅପହରଣ ଓ ବଳାତ୍କାର କରାଯାଉଛି । ଏଠି ଆଇନ କେଉଁଠାରେ ଅଛି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିଓ୍ବାଲ ?