ଭୁବନେଶ୍ୱର: ଶଙ୍ଖଭବନରେ ଆଜି ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ନିଜ ସମର୍ଥକଙ୍କ ସହ ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ମିଶ୍ରଣ ଉତ୍ସବ ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ମଙ୍ଗରାଜ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ ଓ ଡକ୍ଟର ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, କୌଣସି ସ୍ୱାର୍ଥ ନେଇ ବିଜେଡ଼ିରେ ସାମିଲ ହୋଇନି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ମହିଳା, ଯୁବପିଢ଼ି, ଚାଷୀଙ୍କ ପାଇଁ ବହୁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଶଙ୍ଖ ଭବନରେ ମିଶ୍ରଣ ପର୍ବ ପରେ ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିଲେ ଚିରଞ୍ଜୀବ ବିଶ୍ୱାଳ । ଏହି ମିଶ୍ରଣ ପର୍ବରେ ପୂର୍ବତନ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ନାଉଗାଁ ବ୍ଲକ କଂଗ୍ରେସ କମିଟି ସଭାପତି ନିରଞ୍ଜନ ବେହୁରା, ରାଜେଶ ରଂଜନ ବିଶ୍ୱାଳ ଓ ସୁବାସ ମହାନ୍ତିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଚିରଞ୍ଜୀବଙ୍କ ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଶୁକ୍ରବାର ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଦଳ ଛାଡିବା ପରେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଶଙ୍ଖ ଫୁଙ୍କିଛନ୍ତି ସୁକାନ୍ତ ନାୟକ । ସେହିପରି ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ବୌଦ୍ଧ ଜିଲ୍ଲାର ଅନେକ କଂଗ୍ରେସ ଓ ସିପିଆଇ ନେତା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
Comments are closed.