Latest Odisha News

BREAKING NEWS

OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ

ଭୁବନେଶ୍ବର:ରଶ୍ମିରଞ୍ଜନ ସ୍ବାଇଁ ହେଲେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ପ୍ରଥମ ଅଧ୍ୟକ୍ଷ । ଶୁକ୍ରବାର ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।

ରାଉରକେଲାର ମୂଳ ବାସିନ୍ଦା ରଶ୍ମିରଞ୍ଜନ ସ୍ବାଇଁ ଜମ୍ମୁ, ଶ୍ରୀନଗର, ଲେହ, ପୁଞ୍ଚ ଏବଂ ରାମବାନ ଜିଲ୍ଲାରେ ଏସଏସପି ଭାବରେ କାର୍ଯ୍ୟ କରି ଦେଶରେ ଚର୍ଚ୍ଚିତ ଚେହେରା ହୋଇଥିଲେ ।

ସ୍ୱାଇଁ ଆତଙ୍କବାଦ ବିରୋଧରେ ତାଙ୍କର କଠୋର ଆଭିମୁଖ୍ୟ ପାଇଁ ଜଣାଶୁଣା ଏବଂ ଜାମ୍ମୁ କାଶ୍ମୀରରେ ଆତଙ୍କୀ ପାଣ୍ଠି ନେଟୱାର୍କ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ରଶ୍ମିରଞ୍ଜନ ସ୍ବାଇଁ ହେଉଛନ୍ତି ୧୯୯୧ ବ୍ୟାଚ AGMUT କ୍ୟାଡର IPS ଅଫିସର। ୨୦୨୩ ଅକ୍ଟୋବର ୩୧ରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଅବସର ନେଇଥିଲେ।

ଏହାପୂର୍ବରୁ ମଧ୍ୟ ସେ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ରାଜଧାନୀ ଜମ୍ମୁ ଏବଂ ଶ୍ରୀନଗରରେ SSP ଭାବରେ କାର୍ଯ୍ୟ କରିଥିଲେ। ସେ ଲେହ, ପୁଞ୍ଚ ଏବଂ ରାମବାନର SSP ପଦବୀ ମଧ୍ୟ ଗ୍ରହଣ କରିଛନ୍ତି। ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ J&K ଭିଜିଲାନ୍ସରେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ ଭାବରେ ନିଯୁକ୍ତ ଥିଲେ।

ସୂଚନାଥାଉକି, ଗତ ବର୍ଷ ନଭେମ୍ବରରେ ରାଜ୍ୟ ସରକାର ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ଏହା ଦ୍ବାରା ୟୁନିଫର୍ମ ସେବା ଯୋଗାଉଥିବା ଅଧିକାରୀଙ୍କ ନିଯୁକ୍ତି ଏହି ଆୟୋଗ କରିବ। ଏଥିରେ ଜଣେ ଅଧକ୍ଷ, ଦୁଇ ଜଣ ସଦସ୍ୟ ରହିବା ନେଇ ନିର୍ଦ୍ଧାରିତ ହୋଇଥିଲା। ମୁଖ୍ୟତଃ ପୋଲିସ, ବନ ବିଭାଗ, ଅବକାରୀ ବିଭାଗରେ ଏହି ଆୟୋଗ ନିଯୁକ୍ତି କରିବ ।

Leave A Reply

Your email address will not be published.