Latest Odisha News

BREAKING NEWS

ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା । ଗାଁରେ ପଶି  ଆତ୍ମସମର୍ପଣ କରିଥିବା ପୁନେମ ବୁଧରା(୨୮)କୁ ଘରୁ ଟାଣି ଆଣି ପୋଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିଲେ ଓ ଏହାପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ସୂଚନାମୁତାବକ, ପାମେଡ ପୋଲିସ ଷ୍ଟେସନ ଅଞ୍ଚଳର ଏରାପାଲି ଗାଁରେ ଗତକାଲି ରାତି ୧0ଟାବେଳେ ନକ୍ସଲମାନେ ପୁନେମ ଘରକୁ ପଶିଥିଲେ । ନକ୍ସଲମାନେ ପୁନେମଙ୍କୁ ତାଙ୍କ ଘରୁ ଟାଣି ଆଣି ନିର୍ମମ ଭାବରେ ହତ୍ୟା କରିଥିଲେ।

ଖବରମୁତାବକ, ମୃତକ ଗ୍ରାମବାସୀ ଜଣକ ଗାଁରେ ଚାଷ କରି ନିଜର ଏବଂ ନିଜ ପରିବାର ପାଇଁ ଜୀବିକା ନିର୍ବାହ କରୁଥିଲେ। ପୁନେମ ବୁଧରା ଜଣେ ପୂର୍ବତନ ମାଓବାଦୀ ଥିଲେ। ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ବୁଧରାଙ୍କ ପରିବାର ମଧ୍ୟ ତାଙ୍କ ଆତ୍ମସମର୍ପଣରେ ଖୁସି ଥିଲେ।

ବିଜାପୁର ପୋଲିସ ଅଧିକ୍ଷକ କହିଛନ୍ତି, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଘଟଣାସ୍ଥଳକୁ ପୋଲିସ ଫୋର୍ସ ପଠାଯାଇଛି। ଅଧିକ ସୂଚନା ଉପଲବ୍ଧ ହେବା ମାତ୍ରେ ସେୟାର କରାଯିବ ।

ପାମେଡ ପୋଲିସ ଦଳ ଘଟଣାସ୍ଥଳରୁ ହତ୍ୟା ସହ ଜଡିତ ଅନେକ ପ୍ରମାଣ ସଂଗ୍ରହ କରିଥିଲେ। ହତ୍ୟା କରିବା ପରେ ପଳାୟନ କରିଥିବା ନକ୍ସଲଙ୍କୁ ଧରିବା ପାଇଁ ସୁରକ୍ଷାବାହିନୀ ପକ୍ଷରୁ ଏକ ବଡ଼ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

Leave A Reply

Your email address will not be published.