Latest Odisha News

BREAKING NEWS

ରାମକୃଷ୍ଣଙ୍କ ପରଲୋକରେ ମୁଁ ଅତ୍ୟନ୍ତ ମ୍ରିୟମାଣ: ରାଜା ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟର ଜଣେ ବର୍ଷିଆନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୯.୩୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏ ବାବଦରେ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଥିଲେ ।

ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତଥା ରାଜା ସ୍ୱାଇଁ ଅତ୍ୟନ୍ତ ମର୍ମାହତ ବୋଲି ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, “ରାମକୃଷ୍ଣ ଭାଇଙ୍କ ସହ ମୋର ବହୁ ଦିନର ସମ୍ପର୍କ । ୧୯୯୦ ମସିହାରେ ସେ ବିଧାୟକ ହୋଇଥିଲେ । ସେବେଠାରୁ ବିଧାନସଭାରେ ତାଙ୍କ କାର୍ଯ୍ୟ ସବୁଦିନ ପାଇଁ ମନେ ରହିବ । ଅର୍ଥନୀତି ଉପରେ ଏବଂ ପଞ୍ଚାୟତ ରାଜ ଉପରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା । ତାଙ୍କ ଡିବେଟକୁ ଆଗାମୀ ପିଢ଼ୀ ମନେ ରଖିବେ । ତାଙ୍କ ନେତୃତ୍ୱରେ ଆମେ ବହୁ ଅଂଚଳ ବୁଲିଛୁ । ଷ୍ଟାଡିଂ କମିଟିର ସେ ପବ୍ଲିକ ଆକାଉଣ୍ଟ କମିଟିର ସେ ଚେୟାରମ୍ୟାନ ଥିଲେ । ଯେତେବେଳେ ବିଜୁ ଜନତା ଦଳ ତିଆରି ହୋଇଥିଲା ଏବଂ ତା’ପରେ ଯେଉଁ ମିଶ୍ରଣ ପର୍ବ ହେଲା ସେଥିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ।”

ସେ ଆହୁରି ମଧ୍ୟ କହିଛନ୍ତି କି ରାମକୃଷ୍ଣଙ୍କ ବିୟୋଗରେ ଏକ ବିରାଟକାୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଧାନସଭାରେ ଡିବେଟ୍ କରିବା ଭଳି ଲୋକ ବହୁତ କମ୍ ଥିଲେ । ସେ କେବଳ ଗଞ୍ଜାମର ନେତା ନଥିଲେ, ସେ ଥିଲେ ସାରା ରାଜ୍ୟର ନେତା । ଦୀର୍ଘଦିନ ଧରି ଆମେ ଏକାଠି ରହି ଗୋଟିଏ ଚିନ୍ତାଧାରାରେ କାର୍ଯ୍ୟ କରିଛୁ । ବିଜୁ ବାବୁ ଯେଉଁଆଡ଼େ ଯାଉଥିଲେ ତାଙ୍କ ସହ ରାମକୃଷ୍ଣ ବାବୁ ସବୁବେଳେ ରହୁଥିଲେ । ପରବର୍ତ୍ତି ସମୟରେ ସେ ନବୀନ ବାବୁଙ୍କ ସହ ଏବଂ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଆଜି ସେ ନାହାଁନ୍ତି ସତ, ହେଲେ ଓଡିଶା ରାଜନୀତିରେ ତାଙ୍କ ଅବଦାନ ସବୁଦିନ ପାଇଁ ଅଭୂଲା ସ୍ମୃତି ଭାବେ ସାଇତା ହୋଇ ରହିବ ।

Leave A Reply

Your email address will not be published.