Latest Odisha News

ସଂଗ୍ରାମ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ସଂଗ୍ରାମ କେଶରୀ ଜେନା ସ୍ମୃତି ସଂସଦ ପକ୍ଷରୁ ସ୍ମୃତି ସଂସଦର ସଭାପତି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ଏକ ସର୍ବଦଳୀୟ ସ୍ମୃତିସଭା ଆୟୋଜିତ ହୋଇଥିଲା । ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ସ୍ମୃତିସମ୍ବଳିତ ଏକ ସ୍ମରଣିକା ମଧ୍ୟ  ଉନ୍ମୋଚନ କରାଯାଇଥିଲା ।

ଏହି ସଭାରେ ଯୋଗଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ସ୍ବର୍ଗତ ଜେନାଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପିସିସି ସାଧାରଣ ସଂପାଦକ ସ୍ୱର୍ଗତ ଜେନା ଥିଲେ ଅତୁଲ୍ୟ, ପ୍ରତିଭାଦୀପ୍ତ ଓ ଭରଷାଯୋଗ୍ୟ ଯୁବନେତା । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ରାଜଧାନୀରେ ସେ ସୃଷ୍ଟି କରିଥିଲେ ଅସୁମାରୀ ଛାତ୍ର ନେତା ଓ ଯୁବନେତା ।
ବିଜେବି କଲେଜ ଛାତ୍ର ସଂସଦର ସାଧାରଣ ସଂପାଦକ, ବାଣୀବିହାରରେ ଆଦୃତ ଓ ସମ୍ମାନନୀୟ ଛାତ୍ର ନେତା, ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସଂପାଦକ, ଉପସଭାପତି, କାର୍ଯ୍ୟକାରୀ ସଭାପତି, ପ୍ରଥମ ନିର୍ବାଚିତ ସଭାପତି ଓ ପିସିସି ସାଧାରଣ ସଂପାଦକ ଭାବରେ ସେ ପ୍ରଶଂସନୀୟ ଦାୟିତ ନିର୍ବାହ କରିଥିଲେ । କଂଗ୍ରେସ ଦଳର ସେ ଥିଲେ ଅମୂଲ୍ୟ ସଂପତି । ତାଙ୍କର ସାଂଗଠନିକ ଦକ୍ଷତା ଓ ଦଳପ୍ରତି ସମର୍ପଣ ଭାବ ପାଇଁ ସେ ଆମ ନିକଟରେ ସ୍ମରଣୀୟ ହୋଇ ରହିବେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯାଜପୁର ବିଧାୟକ ତଥା ବିଜେଡ଼ିର ସାଂଗଠନିକ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ସଂଗ୍ରାମଙ୍କ ନେତୃତ୍ୱ, ବନ୍ଧୁତ୍ୱ ଓ ବ୍ୟକ୍ତିତ୍ୱର ମୂଲ୍ୟାୟନ କରିଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ ଯେ ସଂଗଠନ, ସମାଜସେବା, ଧାରଣା, ରାଲି ଓ ପ୍ରତିବାଦ ସଭା ଆଦିରେ ସଂଗ୍ରାମଙ୍କର ବିଚକ୍ଷଣତା ଏବଂ କାର୍ଯ୍ୟଦକ୍ଷତାକୁ ମୁଁ ଅତି ନିକଟରୁ ଦେଖିଛି । ସଂଗ୍ରାମର ସ୍ମୃତି ମାନସପଟରେ ଚିରଜୀବିତ ହୋଇ ରହିବ  ବୋଲି କହିଥିଲେ ।
ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଥିଲେ ଯେ ଦଳମତ ନିର୍ବିଶେଷରେ ସଂଗ୍ରାମ ଓଡ଼ିଶାର ଜଣେ ପ୍ରତିଭାବାନ, ସ୍ୱାଭିମାନୀ ଓ ଚର୍ଚ୍ଚିତ ଯୁବନେତା । ସମାଜ ସେବାରେ ମଧ୍ୟ ସେ ଜଣେ ଆଦୃତ ବ୍ୟକ୍ତି ।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ ଯେ ସଂଗ୍ରାମ ଥିଲେ ଓଡ଼ିଶାର ଜଣେ ଯୁଝାଡ଼ୁ, ଜନପ୍ରିୟ, କର୍ତବ୍ୟନିଷ୍ଠ ଯୁବନେତା । କଂଗ୍ରେସ ଦଳ ତାଙ୍କର କୀର୍ତି ଓ କୃତିକୁ ମନେ ରଖିବ । ଅଗଷ୍ଟ ମାସର ମହତ୍ୱକୁ ଅବତାରଣ କରି ଶ୍ରୀ ହରିଚନ୍ଦନ କହିଥିଲେ ଯେ ଅଗଷ୍ଟ ମାସ ଇତିହାସରେ ଘଟିତ ବିପ୍ଳବର ଦିବ୍ୟ ସ୍ମୃତିକୁ ମନେ ପକାଏ ଏବଂ ସଂଗ୍ରାମ ହେଉଛନ୍ତି ବିପ୍ଳବର ପ୍ରତୀକ ।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ସଂଗ୍ରାମ ମୋର ପୁତ୍ରତୂଲ୍ୟ, ତା ଠାରେ ଭବିଷ୍ୟତ ନେତୃତ୍ୱର ସଂଧାନ ମିଳିଥିଲା । ସେ ଜଣେ ଆଦର୍ଶମୟ, ଆଚରଣ ଶୁଦ୍ଧ ଏବଂ ସ୍ୱପ୍ନ ଦ୍ରଷ୍ଟା ରାଜନେତା ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ଯେ ସଂଗ୍ରାମର ମୃତ୍ୟୁ ପରେ ତାର ସଂଗ୍ରାମ ଜାରି ରହିଛି । ସେ ଯେଉଁ ଯୁବ ଓ ଛାତ୍ର ନେତା ସୃଷ୍ଟି କରିଥିଲା ସେମାନେ ସଂଗ୍ରାମର ଆଦର୍ଶରେ ଲଢ଼େଇ ଜାରି ରଖିଛନ୍ତି ଏବଂ ତାର ସ୍ୱପ୍ନକୁ ସାକାର କରିବାପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ।

ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ପିତା ତଥା ପୂର୍ବତନ ପିସିସି ସଭାପତି  ଜୟଦେବ ଜେନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଚିରଞ୍ଜିବ ବିଶ୍ୱାଳ, ଶ୍ରୀ ଶରତ ରାଉତ, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ଗଣେଶ୍ୱର ବେହେରା, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସମୀର ରାଉତରାୟ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଡ.ଦେବାଶିଷ ପଟ୍ଟନାୟକ, ସମାଜବାଦୀ ପାର୍ଟିର ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ନାରାୟଣ ରେଡ୍ଡି, ବିଜେପିର ନେତା ଦିଲ୍ଲୀପ ମଲ୍ଲିକ, ବିଜୁଜନତା ଦଳର ମୁଖପାତ୍ର ଲେଲିନ ମହାନ୍ତି, ୟାସିର ନୱାଜ, ସ୍ମୃତି ରଞ୍ଜନ ଲେଙ୍କା, ଅଂଶୁମାନ ମହାନ୍ତି, ବନ୍ଦିତା ପରିଡ଼ା, ରଜତ ଚୌଧୁରୀ, ସସ୍ମିତା ବେହେରା, ନରେନ ପଲେଇ, ସୁଦର୍ଶନ ଦାସ, ବିଭୁତି ମିଶ୍ର, ମନୋଜ ରାଉତ, ଶ୍ରୀନାଥ ମିଶ୍ର ପ୍ରମୁଖ ସ୍ୱର୍ଗତ ଜେନାଙ୍କର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି  ମାନସ ଚୌଧୁରୀ ଏବଂ ସଂଗ୍ରାମ ଜେନାଙ୍କର ଅନୁଜ ଇଂ ମନୋଜ କୁମାର ଜେନା (ଟିକିନା) ସ୍ମୃତିସଭାର କାର୍ଯ୍ୟପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ମନୋଜ ମହାପାତ୍ର, ରଞ୍ଜିତ ପାତ୍ର, ଅଜୟ ସାହୁ, ଆଲୋକ ଲେଙ୍କା, ସ୍ୱାଗତ କର, ନଳିନୀକାନ୍ତ ନାୟକ, କିରଣ ସାହୁ, ନିହାର ବେହେରା, ମହମ୍ମଦ ଗୁଲଫାମ, ଜଗଦିଶ ଗଜେନ୍ଦ୍ର, କାର୍ତିକେଶ୍ୱର କାଣ୍ଡି, ଅମରେଶ ଜେନା, ଶ୍ରୀ ମହାନ୍ତି, ଲିପିକା ପାତ୍ର, ଶହାରୁଖ ଖାନ, ଉଦ୍ଦିତ ପ୍ରଧାନ, ରିୟାଜୁଲ୍ ଇସଲାମ, ବିପ୍ଳବ ଶିଲାଦିତ୍ୟ, ସୁଭାଷ ପ୍ରଧାନ, ଲଲାଟେନ୍ଦୁ ଦାସ, ସୁରଜ ରାଉତ, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି ଓ ଆର୍ଯ୍ୟାନ ସାସମଲ, ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ, ପ୍ରମୁଖ ବିଭିନ୍ନ ଜିଲ୍ଲାର ବହୁ ଯୁବଛାତ୍ର ନେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ସ୍ୱର୍ଗତ ଜେନାଙ୍କ ସ୍ମୃତିସଭା ଛାତ୍ର ଓ ଯୁବନେତାମାନେ ଆୟୋଜନ କରିଥିଲେ ।

Leave A Reply

Your email address will not be published.