କଲୋମ୍ବା: ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ସେ ଶ୍ରୀଲଙ୍କା ଫେରିଛନ୍ତି । ଶୁକ୍ରବାର ଦିନ ସେ ନିଜ ଦେଶକୁ ଫେରିଛନ୍ତି। କଲମ୍ବୋରେ ଥିବା ଏକ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ସେ ପ୍ରାୟ ୭ ସପ୍ତାହ ପରେ ସେ ଶ୍ରୀଲଙ୍କା ଫେରିଛନ୍ତି। ଜୁଲାଇରେ ଆର୍ଥିକ ସଙ୍କଟ କାରଣରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋଟାବାୟା । ପରେ ପରିସ୍ଥିତି ଭୟଙ୍କର ହେବ ଭାବି କିଛି ଦିନ ଲୁଚି ରହିଥିଲେ ଗୋଟାବାୟା । ପରେ ପରିବାର ସହ ଦେଶ ଛାଡି ପଳାଇଥିଲେ।
ଗୋଟାବାୟା ବିମାନବନ୍ଦରରେ ଅବତରଣ କରିବେଳେ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ। ବିମାନ ବନ୍ଦର ଅଧିକାରୀ କହିଛନ୍ତି ଯେ ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି।
ଗୋଟାବାୟା ରାଜପାକ୍ସେ ଜୁଲାଇ ୧୩ରେ ଦେଶ ଛାଡି ପଳାଇଥିଲେ। ସେତେବେଳେ ବିକ୍ଷୋଭକାରୀମାନେ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନ ସମେତ ଅନ୍ୟାନ୍ୟ ସରକାରୀ ଭବନ ଉପରେ ଢେଲା ପଥର ମାଡ କରିବା ସହିତ ଧସେଇ ପଶିଯାଇଥିଲେ। ଗୋଟାବାୟା ରାଜପାକ୍ସେ ପୂର୍ବରୁ ଶ୍ରୀଲଙ୍କା ବାୟୁସେନା ବିମାନରେ କଲମ୍ବୋରୁ ମାଲଦ୍ୱୀପକୁ ପଳାଇ ଯାଇଥିଲେ। ମାଲଦ୍ୱୀପରୁ ସେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିଲେ, ଯେଉଁଠାରୁ ସେ ୧୪ ଜୁଲାଇରେ ରାଷ୍ଟ୍ରପତି ପଦରୁ ଇସ୍ତଫା ପତ୍ର ପଠାଇଥିଲେ। ପରେ ରାଜପାକ୍ସେ ଥାଇଲ୍ୟାଣ୍ଡ ଯାଇଥିଲେ।
ରାଜପାକ୍ସେଙ୍କୁ ବହିଷ୍କାର କରାଯିବା ପରେ ଶ୍ରୀଲଙ୍କା ସଂସଦ ତତ୍କାଳୀନ କାର୍ଯ୍ୟକାରୀ ରାଷ୍ଟ୍ରପତି ଏବଂ ୬ ଥରର ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂହଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ମନୋନୀତ କରିଥିଲେ। ୨୨୫ ସଦସ୍ୟ ବିଶିଷ୍ଟ ସଂସଦର ସଂଖ୍ୟାଗରିଷ୍ଠତା ଦଳ ଶ୍ରୀଲଙ୍କା ପୋଡୁଜାନା ପେରୁମୁନା (ଏସଏଲପିପି) ର ୱିକ୍ରେମସିଂହଙ୍କ ସମର୍ଥନ ଥିଲା।
ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁଯାୟୀ ରାଜପାକ୍ସେଙ୍କ ନେତୃତ୍ୱାଧୀନ ଏସଏଲପିପିଙ୍କ ଅନୁରୋଧ କ୍ରମେ ରାଷ୍ଟ୍ରପତି ୱିକ୍ରେମିସିଂହେ ତାଙ୍କ ଦେଶକୁ ଫେରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏସଏଲପିପି ସାଧାରଣ ସମ୍ପାଦକ ସାଗର କାରିଆୱାସମ୍ ଅଗଷ୍ଟ ୧୯ ରେ କହିଥିଲେ ଯେ ରାଷ୍ଟ୍ରପତି ୱିକ୍ରେମସିଂହଙ୍କ ସହ ଏକ ବୈଠକରେ ଏ ନେଇ ଆଲୋଚନା ହୋଇଥିଲା।
ଏବେ ରାଜପାକ୍ସେଙ୍କ ପ୍ରତ୍ୟାବର୍ତ୍ତନ ତଥା ତାଙ୍କୁ କଡା ସୁରକ୍ଷା ସୁବିଧା ଯୋଗାଇଦେବା ପାଇଁ ଏସଏଲପିପି ନେତା ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଏଥି ସହିତ ରାଜପାକ୍ସେ ଫେରି ଆସିଛନ୍ତି, କିନ୍ତୁ କଲମ୍ବୋରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ସେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
Comments are closed.